ଲାଞ୍ଜିଗଡ଼,୨୬ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ସୋମବାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଫୁଲମତି ନାଏକ (୨୯) ଓ ୭ ମାସର ପୁଅ ସବୀର ନାଏକ।
ମିଳିଥିବା ସୂଚନା ମୁତାବକ, ଫୁଲମତି ସାନପୁଅ ସବୀରଙ୍କୁ କାଖେଇ ଘରକାମ କରୁଥିବା ସମୟରେ ତାଙ୍କ ଅଜାଣତରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ୮ମାସ ତଳେ ଘର ମୁଖିଆ ତଥା ଫୁଲମତିଙ୍କ ସ୍ବାମୀ ସନ୍ତୋଷ ନାଏକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ୮ବର୍ଷର ବଡପୁଅ ଜଗଦୀଶ ବେସାହାରା ହୋଇ ବଞ୍ଚିବାର ରାହା ଖୋଜୁଛି।
ଖବର ପାଇ ବିଶ୍ୱନାଥପୁର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସନ୍ଦୀପ ଠାକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଏ ନେଇ ମୃତକଙ୍କ ସମ୍ପର୍କୀୟ ଲୋକେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଏଏସ୍ଆଇ ଶ୍ୟାମ କୁଲସିକା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ। ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେରଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୭/୨୫) ରୁଜୁ ହୋଇଛି।
ଶୋକାକୁଳ ପରିବେଶରେ ଗାଁ ମଶାଣିରେ ମା’ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଦୁଃଖ ଖବର ପାଇ ଲାଞ୍ଜିଗଡ ଜୋନ୍-୨ ଜିଲାପରିଷଦ ପରୀକ୍ଷିତ ନାଏକ, ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ, ଅମର ନାଏକ ପ୍ରମୁଖ ଗାଁରେ ପହଞ୍ଚି ଶୋକସନ୍ତପ ମା’ବାପା ଛେଉଣ୍ଡ ଜଗଦୀଶଙ୍କୁ ସମବେଦନା ଜଣାଇଛନ୍ତି।


