ଦାରିଙ୍ଗବାଡି, ୨।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ରହିଥିବା ଘଞ୍ଚ ଜଙ୍ଗଲରେ ପୋଲିସର ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ନେତା ଶୁକ୍ରୁ ଲୁଚିଥିବା ସନ୍ଦେହରେ ରାଜ୍ୟ ଓ ଜିଲା ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଥିବା ଜଣାପଡିଛି । କନ୍ଧମାଳ ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶ ତଥା ନେତୃତ୍ୱରେ ଉକ୍ତ ଥାନା ଅଞ୍ଚଳରେ ରହିଥିବା ଘଞ୍ଚ ଜଙ୍ଗଲରେ ପୋଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେଶନ କରାଯାଉଛି । ଗୋଟିଏ ପଟେ ଦାରିଙ୍ଗବାଡି ଥାନାର ନିର୍ଦ୍ଦିଷ୍ଟ ସ୍ଥାନରୁ ଅତ୍ୟାଧୁନିକ ଡ୍ରୋନ ତଥା ଥର୍ମାଲ ସେନସର୍ ଡ୍ରୋନକୁ ବିଭିନ୍ନ ଜଙ୍ଗଲକୁ ପଠାଯାଉଛି। ଏଥିସହ ସନ୍ଧନୀ କୁକୁରର ସହାୟତା ସମେତ ଶତାଧିକ ସୁରକ୍ଷକର୍ମୀ ଦଳ ଜଙ୍ଗଲ, ପାହାଡ଼ ଉପରେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଗତ ୩ ଦିନ ହେବ ଏହି ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ସୋମବାର ମଧ୍ୟ ପୂର୍ବରୁ ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଦୁର୍ଗମ ଅଞ୍ଚଳରେ ସୁରକ୍ଷାବାହିନୀ କୋମ୍ବିଂକୁ ଆହୁରି ଦ୍ବିଗୁଣିତ କରିଥିବା ଜଣାପଡିଛି। ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ନେତା ଶୁକ୍ରୁକୁ ପୋଲିସ ପକ୍ଷରୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଉଥିଲେ ମଧ୍ୟ ପୋଲିସର ଏହି ମାଓବାଦୀ ଦମନକୁ ବିରୋଧ କରି ପୂର୍ବରୁ ସାଥି ମାଓବାଦୀ ନେତା ଅନେୱଷଙ୍କୁ ଶୁକ୍ରୁ ହତ୍ୟା କରି ମାଟିତଳେ ପୋତିଦେଇଥିଲେ । ଏବେ ସେ କନ୍ଧମାଳ ଜିଲାରେ ରହିଥିବା ଅନ୍ୟ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାରେ ବାଧକ ସାଜିଥିବା କୁହାଯାଉଛି ।