
ନୂଆଦିଲ୍ଲୀ,୯।୫: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କୁୁ ନେଇ ଅପରେଶନ ସିନ୍ଦୂର ପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ବାୟୁସେନାର ଆକ୍ରମଣ ପରେ ଦାଉଦ ଆତଙ୍କିତ ହୋଇ ପାକିସ୍ତାନ ଛାଡ଼ି ପଳାଇଥିବା ଚର୍ଚ୍ଚା ହେଉଛି।
ଏଜେନ୍ସି ସୂତ୍ର ଅନୁସାରେ, ଦାଉଦ ପୂର୍ବରୁ ପାକିସ୍ତାନର ଆଷ୍ଟୋଲା ଦ୍ୱୀପରେ ଲୁଚି ରହୁଥିଲେ, ଯେଉଁଠାରେ ପାକିସ୍ତାନର ଏକ ସମ୍ବରିନ ବେସ ରହିଛି। କିନ୍ତୁ ତାଙ୍କ ଅବସ୍ଥାନ ପ୍ରକାଶ ପାଇବା ପରେ ସେ କରାଚିକୁ ସ୍ଥାନାନ୍ତର ହୋଇଥିବା ସମ୍ଭାବନା ରହିଛି। ବର୍ତ୍ତମାନ ତାଙ୍କ ସଠିକ ଅବସ୍ଥାନ ଅଜଣା ରହିଛି।
ଦାଉଦ ଇବ୍ରାହିମ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ଡି-କମ୍ପାନୀ ନାମକ ଅପରାଧୀ ସଂଗଠନର ନେତା। ଭାରତ ଓ ଆମେରିକା ତାଙ୍କୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିଛନ୍ତି, ଏବଂ ତାଙ୍କ ମୁଣ୍ଡରେ ୨୫ ମିଲିୟନ ଡଲାରର ପୁରସ୍କାର ରହିଛି। ପାକିସ୍ତାନ ଦୀର୍ଘ ଦିନ ଧରି ଦାଉଦଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗ ରହିଛି, ଯଦିଓ ସେମାନେ ଏହାକୁ ଅସ୍ବୀକାର କରିଆସୁଛନ୍ତି।
ଅପରେଶନ ସିନ୍ଦୂର ପରେ ଭାରତର କଠୋର ଆଭିମୁଖ୍ୟ ଦାଉଦଙ୍କ ପାଇଁ ନୂଆ ଚିନ୍ତା ସୃଷ୍ଟି କରିଛି। ସେ ଏବେ ନୂଆ ଗୁପ୍ତ ସ୍ଥାନକୁ ପଳାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତୀୟ ଏଜେନ୍ସିଗୁଡ଼ିକ ତାଙ୍କୁ ଖୋଜିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି।