ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ ସକାଳୁଆ ପାଠପଢ଼ା ଆରମ୍ଭ ହେବ। ବଢୁଥିବା ଖରାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୱାସ୍ଥ୍ୟ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ସକାଳ ୬:୩୦ ମିନିଟରୁ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇ ଦିନ ୧୦:୩୦ମିନିଟ ପର୍ଯ୍ୟନ୍ତ ଚାଲିବ। ଏହି ନିୟମ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ପାଇଁ ସମାନ ଭାବେ ଲାଗୁ ହେବ। ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ସକାଳୁଆ ସ୍କୁଲ ବ୍ୟବସ୍ଥା ଜାରି ରହିବ।
ଗଣଶିକ୍ଷା ସଚିବ ଏହି ସୂଚନା ଦେବା ସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ ଚିଠି ଲେଖିଛନ୍ତି। ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ପ୍ରତି ଧ୍ୟାନ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଖରା ଦାଉରୁ ରକ୍ଷା ପାଇବା ପାଇଁ ଛାତ୍ରଛାତ୍ରୀମାନେ ଏବେ ସକାଳ ସମୟରେ ବିଦ୍ୟାଳୟ ଯିବେ ଏବଂ ଖରା ବଢ଼ିବା ପୂର୍ବରୁ ଅର୍ଥାତ ୧୦:୩୦ ସୁଦ୍ଧା ସେମାନଙ୍କର ଛୁଟି ହୋଇଯିବ।
Dharitri – Odisha’s No.1 Odia Daily

Share