କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ କୁଆମରା ପଞ୍ଚାୟତ କୁସୁମିଆ ଗ୍ରାମର ପ୍ରାୟ ୫୦ରୁ ଅଧିକ ଘର କ୍ଷତି ହୋଇଥିବା ଜଣାପଡ଼ିଛି। ଅଧ ଘଣ୍ଟାଏ ଧରି ବର୍ଷା ଓ ପବନ ଲାଗି ରହିଥିଲା।
ତେବେ ସେ ସମୟରେ କୁଆପଥର ମାଡ ହେବା ଯୋଗୁ ବିଶେଷ କରି ଆଜବେଷ୍ଟ ଛପର ଗୁଡିକ ଭାଙ୍ଗି ରୁଜିଯାଇଛି। କେତେକ ଘରର ଶତାଧିକ କଣା ହେବା ଯୋଗୁ ଆକାଶରେ ତାରା ଦେଖା ଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୁଆପଥର ୧୦୦ ରୁ ୨୦୦ ଗ୍ରାମ ପର୍ଯ୍ୟନ୍ତ ଓଜନ ଦେଖିବାକୁ ମିଳିଥିଲା। ଏଥି ସହ ଅନେକ ପରିବା ଚାଷ ମଧ୍ୟ ଉଜୁଡି ଯାଇଛି। ଆମ୍ବ ଚାଷୀ ମଥାରେ ହାତ ଦେଇ ବସିଛନ୍ତି। ଖବର ପାଇ ବିଡିଓ ପୃଥିରାଜ ପରିଡା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି।
Dharitri – Odisha’s No.1 Odia Daily

Share