ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଜଗେରମାହାର ବକ୍ସିପଲି ଗ୍ରାମରେ ଗତ ଏକ ମାସ ଧରି ଛେଳି ମଡ଼କ ଚାଲିଛି। ଏଥିରେ ବହୁ ଛେଳିଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏକାଧିକ ଛେଳିଚାଷୀଙ୍କ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛେଳିଙ୍କର ଗୋଟିଏ ମାସରେ ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ଜନ ସଚେତନ ସହ ଗୋପାଳନ, ଛେଳି କୁକୁଡ଼ାଚାଷ ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଥିବାବେଳେ ଚାଷୀ ଏହା ପାଳନ କରିବାକୁ ଆଗ୍ରହ ପ୍ରକାଶ କରି ଛେଳି, କୁକୁଡ଼ା ପାଳନ କରୁଥିବା ବେଳେ ଦାରିଙ୍ଗବାଡ଼ି ଗୋଷ୍ଠୀ ପ୍ରାଣୀଧାନ ଚିକତ୍ସା ବିଭାଗ ପକ୍ଷରୁ ଅହେତୁକ ଅବହେଳା ପାଇଁ ଅନେକ ଛେଳିର ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମରେ ଗତ କିଛିଦିନ ଦିନ ଧରି ଛେଳିକୁ ଅଜଣା ରୋଗ ଗ୍ରାସ କରିଥିବା ବେଳେ ପାଟିରେ ଘା’ ହେବା ସହ ଝାଡ଼ାବାନ୍ତି, କାଶ ଓ ଦୁର୍ବଳ ହୋଇ ପ୍ରତିଦିନ ଛେଳି ମଡ଼କ ହେଉଛି। ଏବେ ପର୍ଯ୍ୟନ୍ତ ଗାଁକୁ ବିଶେଷଜ୍ଞ ଦଳ ପହଞ୍ଚି ନ ଥିବା ବେଳେ ପ୍ରତିଦିନ ଛେଳି ମୃତୁସଂଖ୍ୟା ବଢୁଛି। ଫଳରେ ଏହି ଚାଷ କରି ପରିବାର ପ୍ରତିପୋଷଣ ହେଉଥିବା ଚାଷୀମାନେ ଏବେ ନିରାଶ ହୋଇପଡ଼ିଛନ୍ତି। ଗ୍ରାମର ଯୋଶେଫ୍ ଦିଗାଲଙ୍କ ଏହି ଅଜଣା ରୋଗରେ ପ୍ରାୟ ୭ଟି ଛେଳିର ମୃତ୍ୟୁ ହୋଇଥିବା ବେଳେ ଗ୍ରାମର ଟ୍ବିଙ୍କଲ ଦିଗାଲ ୨୦ଟି ଛେଳି ଥିଲା ସେମାନଙ୍କ ମଧ୍ୟରୁ ଅଧାରୁ ଊର୍ଦ୍ଧ୍ୱ ଛେଳିକୁ ଚିକିତ୍ସା କରାଯିବା ପରେ ମଧ୍ୟ ଆଉ ବଞ୍ଚିଲେ ନାହିଁ ବୋଲି କହିଛନ୍ତି।
ସେହିପରି ବୀରବଲ ଦିଗାଲଙ୍କ ୯ ଟି, ଜୁଲିୟନ ଦିଗାଲ, ଶସ୍ତରୀ ଦିଗାଲ, ରୀନା ଦିଗାଲଙ୍କ ମିଶି ୫୦ରୁ ଊର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଶତାଧିକ ଛେଳିର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଏନେଇ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡଃ ପତିତପାବନ ରଥ କହିଛନ୍ତି, ସେଠାକୁ ତିଲୋରୀ ପଞ୍ଚାୟତରେ ଥିବା ପ୍ରାଣୀଧନ ନିରୀକ୍ଷକଙ୍କୁ ଜଗେରମାହା ପଠାଯାଇଛି। ତେବେ ଆମେ ଜଗେରମାହାର ଛେଳିଚାଷୀଙ୍କୁ କହିଛୁ ମୃତ୍ୟୁ ହେଇଯାଇଥିବା ଛେଳିକୁ ଦାରିଙ୍ଗବାଡ଼ି ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାକେନ୍ଦ୍ରକୁ ଆଣି ବ୍ୟବଚ୍ଛେଦ କରାଇଲେ କେଉଁ କାରଣ ଓ ରୋଗ ଯୋଗୁ ଛେଳିର ମୃତ୍ୟୁ ଘଟୁଛି ଜଣାପଡ଼ିବ ବୋଲି କୁହାଯାଇଛି କିନ୍ତୁ କେହି ଚାଷୀ ଏଠାକୁ ଆଣି ନ ଥିବା ଯୋଗୁ ଛେଳିର ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡୁ ନ ଥିବା ସେ କହିଛନ୍ତି।

