ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ କୁହୁଡି ଦେଖାଦେଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଦେଖିବାକୁ ମିଳି ନ ଥିଲା। ରାସ୍ତାରେ ଯାତାୟାତ ସମୟରେ ମୁହଁକୁ ମୁହଁ ଦିଶୁ ନ ଥିଲା। ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଆହୁରି ଥରାଇବ ଶୀତ ଲହରି। ଆସନ୍ତା ୩ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଥିଲେ ମଧ୍ୟ ପରେ ପୁଣି ପାରଦ ୨ରୁ ୪ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ଶୁକ୍ରବାର ଜଗତ୍‌ସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଅତି ଘନ କୁହୁଡି ଦେଖାଦେବ। ଏଥିପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ପୁରୀ, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅପରପକ୍ଷେ ବିଭାଗର ତଥ୍ୟ ଅନୁଯାୟୀ, ଗୁରୁବାର ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ଝାରସୁଗୁଡାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୭.୮ଡିଗ୍ରୀ ରହିଥିବାବେଳେ ସ୍ବାଭାବିକଠାରୁ ୪.୨ ଡିଗ୍ରୀ କମ୍‌ ରହିଥିଲା। ସେହିପରି ଅନୁଗୋଳ ଓ ଫୁଲବାଣୀ ୮ ଡିଗ୍ରୀ, ରାଉରକେଲା ୮.୬ ଡିଗ୍ରୀ, କୋରାପୁଟ ୮.୬ ଡିଗ୍ରୀ, କେନ୍ଦୁଝର ୯ ଡିଗ୍ରୀ, ନବରଙ୍ଗପୁର ୯ ଡିଗ୍ରୀ, ଜି.ଉଦୟଗିରି ୯.୨ ଡିଗ୍ରୀ, କିରେଇ ୯.୩ ଡିଗ୍ରୀ, ବୌଦ୍ଧ ୯.୬ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

 

Dharitri – Odisha’s No.1 Odia Daily

 

Share