ମୋରଡା,୨୭।୮(ସ୍ମାରକ ମାଜୀ)- ଏକ ଆନ୍ତଜିଲା ଡକାୟତ ଗ୍ୟାଙ୍ଗର ବଡ଼ ଖୁଲାସା କରିଛି ପୋଲିସ । ଜଣେ ଲୁଟେରାକୁ ଧରିବା ସହିତ ଲକ୍ଷାଧିକ ଟଙ୍କାର ସୁନା ଓ଼ ରୂପା ଗହଣା ଜବତ କରିବା ଘଟଣାକୁ ନେଇ ଗୁରୁବାର ଅପରାହ୍ନ ୧ଟାରେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି, ଏସ୍ଡ଼ିପିଓ ମିନତୀ ବିଶ୍ୱାଳ ଉପସ୍ଥିତ ଥିଲେ।
ତେବେ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଉକ୍ତ ଖବର ଏକ ନିର୍ଦିଷ୍ଟ ଗଣମାଧ୍ୟମରେ ପୂର୍ବରୁ ଖବର ପ୍ରକାଶିତ ହୋଇ ସାରିବା ଫଳରେ ଆଜିର ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ଏସ୍ଡ଼ିପିଓ ମିନତୀ ବିଶ୍ୱାଳଙ୍କୁ ପଚାରିବାରୁ ଏପରି କରିବା ଠିକ ନୁହଁ ବୋଲି କହିଛନ୍ତି । ତେବେ ଥାନା ଅଧିକାରୀ ସୁମିତ ସୋରେନଙ୍କୁ ପଚାରିବାରୁ ସେ କାହାକୁ ଉକ୍ତ ଘଟଣାର ତଥ୍ୟ ଦେଇ ନାହାନ୍ତି ବୋଲି ବୟାନ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୨ତାରିଖ ଦିନ ଅପରାହ୍ନ ୧ଟା ସମୟରେ ଉକ୍ତ ଥାନା ଅଧୀନ ସାନମୁଣ୍ଢାବଣି ସାପ୍ତାହିକ ହାଟରୁ ଗହଣା ବ୍ୟବସାୟୀ ତପନ କୁମାର ପରିଡା ନାମକ ଜଣେ ଗହଣା ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଛି । କାର୍ ଯୋଗେ ଘରକୁ ଫେରୁଥିବା ସମୟରେ ନୂଆଗାଁ ପୋଖରୀ ନିକଟରେ ଦୁଇଟି ବାଇକରେ ଚାରି ଜଣ ଯୁବକ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ୯ଲକ୍ଷରୁ ଅଧିକ ଟଙ୍କାର ସୁନା ଓ଼ ରୂପା ଗହଣା ଲୁଟ୍ କରି ଘଟଣାସ୍ଥଳରୁ ଗୋଟିଏ ବାଇକକୁ ଛାଡି ଚମ୍ପଟ ମାରିଥିଲେ। ଏନେଇ ତପନ ମୋରଡା ଥାନାରେ ଅଭିଯୋଗ କରିବା ପରେ ୩୩୪/୨୬ରେ ପୋଲିସ ଏକ ମାମଲା ରୁଜୁ କରିଥିଲା।
ଏସପି ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶକ୍ରମେ ମୋରଡା ପୋଲିସ ଓ଼ ସାଇବର ସେଲକୁ ନେଇ ଗଠିତ ଟିମ ଗଞ୍ଜାମ ଜିଲାର ଆସ୍କା ଅଞ୍ଚଳକୁ ଯାଇ ନରେଶ ପ୍ରଧାନ ନାମକ ଜଣେ ଲୁଟେରାକୁ କାବୁ କରିଥିଲା। ପୋଲିସ ନରେଶଙ୍କ ନିକଟରୁ ୭କେଜି ୫୦୦ଗ୍ରାମର ରୂପା ଓ଼ ୬୦ ଗ୍ରାମର ସୁନା ଗହଣା, ଏକ ମୋବାଇଲ ଫୋନ ଓ଼ ଦୁଇଟି ବାଇକକୁ ଜବତ କରିଛି। ନରେଶଙ୍କ ନାମରେ ପୂର୍ବରୁ ଭୁବନେଶ୍ୱର, ଯାଜପୁରର ଧର୍ମଶାଳା, ବଡ଼ଚଣା, ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର,କୁଳିଅଣା, ଝାରପୋଖରିଆ, ମୋରଡା ଥାନାରେ ବିଭିନ୍ନ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି। ଏଥି ସହିତ ଘଟଣାରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଅପରାଧୀଙ୍କ ଚି଼ହ୍ନଟ ମଧ୍ୟ କରିଛି ପୋଲିସ।