ନାଗୋୟା, ୨୩ା୧୦: ଭାରତ ଡବଲ ସ୍ବର୍ଣ୍ଣ ପଦକ ବିଜେତା ଶୁଟର ମୋନା ଅଗରଓ୍ବାଲ ଏବଂ ଜମ୍ପ ସ୍ପେଶାଲିଷ୍ଟ ନିଶାଦ କୁମାର ଶନିବାର ହେବାକୁଥିବା ଏସିଆନ ପାରା ଗେମ୍ସ ଉଦ୍ଯାପନୀ ଉତ୍ସବରେ ଭାରତର ପତାକାବାହକ ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ ହୋଇଛନ୍ତି। ଗେମ୍ସରେ ଉଭୟ ଅଗ୍ରଓ୍ବାଲ ଓ କୁମାର ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।
୩୮ ବର୍ଷୀୟ ଅଗରଓ୍ବାଲଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିବା ବେଳେ ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାଦ୍ୱାରା ତାଙ୍କ ଶରୀରର ନିମ୍ନ ଭାଗ ପ୍ରଭାବିତ ହୋଇଥିଲା। ସେ ବର୍ତ୍ତମାନ ହ୍ବିଲଚେୟାର ଉପରେ ନିର୍ଭରଶୀଳ। ସେ ପ୍ରଥମେ ରେକର୍ଡ ସହ ମହିଳା ୧୦ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସ୍ଏଚ୍-୧ ଇଭେଣ୍ଟ ଗେମ୍ସ ଜିତିଥିଲେ। ପରେ ସେ ବିଶ୍ୱରେକର୍ଡ ସହ ମହିଳା ୫୦ମିଟର ରାଇଫଲ ୩ ପୋଜିଶନ ଏସ୍ଏଚ୍-୧ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଅନ୍ୟପକ୍ଷରେ ୨୭ ବର୍ଷୀୟ ନିଶାଦଙ୍କର ହିମାଚଳ ପ୍ରଦେଶସ୍ଥିତ ତାଙ୍କ ଫାର୍ମ ହାଉସ୍ରେ ଏକ ଘାସକଟା ମେଶିନରେ ତାଙ୍କ ଡାହାଣ ହାତ କଟିଯାଇଥିଲା। ସେ ପୁରୁଷ ହାଇଜମ୍ପ ଏବଂ ଲଙ୍ଗଜମ୍ପ ଟି-୪୭ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ।

