ନୂଆଦିଲ୍ଲୀ,୧୯।୧୦: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତ ନିଜର ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ମହିଳା ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ଭାରତୀୟ ଶୁଟର ମୋନା ଅଗ୍ରୱାଲ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେ ୨୫୦ ପଏଣ୍ଟ ସ୍କୋର କରି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏହି ଇଭେଣ୍ଟରେ ଭାରତକୁ ଦ୍ୱିଗୁଣିତ ସଫଳତା ମିଳିଛି । ଭାରତର ଅନ୍ୟତମ ଷ୍ଟାର୍ ଶୁଟର ଅବନୀ ଲେଖରା ୨୪୯.୬ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି।
ଫାଇନାଲ ପୂର୍ବରୁ କ୍ୱାଲିଫିକେସନ୍ ରାଉଣ୍ଡରେ ମଧ୍ୟ ମୋନା ଅଗ୍ରୱାଲ ଶୀର୍ଷ ସ୍ଥାନରେ ରହିଥିଲେ । ସେ ୬୨୯.୧ ପଏଣ୍ଟ ସ୍କୋର କରି ଏସିଆନ୍ ପାରା ଗେମ୍ସ ରେକର୍ଡ ସ୍ଥାପନ କରିଥିଲେ । ଅବନୀ ଲେଖରା କ୍ୱାଲିଫିକେସନ୍ରେ ଦ୍ୱିତୀୟ ସ୍ଥାନରେ ରହିଥିଲେ।ଫାଇନାଲରେ ମଧ୍ୟ ଉଭୟ ଭାରତୀୟ ଶୁଟର ନିଜର ଦକ୍ଷତା ପ୍ରମାଣିତ କରିଥିଲେ । ମୋନାଙ୍କ ସ୍ୱର୍ଣ୍ଣ ଏବଂ ଅବନୀଙ୍କ ରୌପ୍ୟ ପଦକ ଭାରତର ପଦକ ତାଲିକାରେ ଆଉ ଏକ ସଫଳତା ଯୋଡ଼ିଛି ।
ମୋନା ଅଗ୍ରୱାଲଙ୍କ ପାଇଁ ଏହି ସ୍ୱର୍ଣ୍ଣ ପଦକ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଷ୍ଟେଜ୍-୨ ସିରିଜ୍-୨ ପରେ ସେ ପଞ୍ଚମ ସ୍ଥାନରେ ରହିଥିଲେ। ଅନ୍ୟପଟେ ଅବନୀ ଲେଖରା ଆରମ୍ଭରୁ ଭଲ ଲୟରେ ଥିଲେ । କିନ୍ତୁ ଶେଷ କିଛି ଶଟ୍ରେ ମୋନା ଚମତ୍କାର ପ୍ରଦର୍ଶନ କରି ୨୫୦ ପଏଣ୍ଟ ହାସଲ କରିବା ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲେ। ସୂଚନା ଅନୁସାରେ, ମୋନା ଏବଂ ଅବନୀ ଉଭୟ ୨୦୨୮ ଲସ୍ ଆଞ୍ଜେଲସ୍ ପାରାଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି ।
ରାଜସ୍ଥାନର ସିକରରେ ଜନ୍ମିତ ମୋନା ଅଗ୍ରୱାଲଙ୍କ ଜୀବନ ସଂଘର୍ଷ ଓ ସଫଳତାର ଏକ ଉଦାହରଣ । ମାତ୍ର ୯ ମାସ ବୟସରେ ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ, ଯାହା ତାଙ୍କ ଦୁଇ ଗୋଡ଼କୁ ପ୍ରଭାବିତ କରିଥିଲା। ପାରା ଶୁଟିଂକୁ ଆସିବା ପୂର୍ବରୁ ସେ ପାରା ଆଥଲେଟିକ୍ସ, ପାରା ପାୱାରଲିଫ୍ଟିଂ ଏବଂ ମହିଳା ସିଟିଂ ଭଲିବଲ୍ରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ୨୦୨୪ ପାରାଲିମ୍ପିକ୍ସରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ସହ ଚଳିତ ବର୍ଷ ପାରା ଶୁଟିଂ ବିଶ୍ୱ ଚାମ୍ପିଅନ୍ସିପ୍ରେ ରୌପ୍ୟ ପଦକ ହାସଲ କରିଥିଲେ ।
ଅନ୍ୟପଟେ ଅବନୀ ଲେଖରା ୨୦୨୦ ଟୋକିଓ ଏବଂ ୨୦୨୪ ପ୍ୟାରିସ୍ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥର ଏସିଆନ୍ ପାରା ଗେମ୍ସରେ ତାଙ୍କୁ ନିଜ ଦେଶର ଶୁଟର ମୋନା ଅଗ୍ରୱାଲଙ୍କଠାରୁ ପଛରେ ରହି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

