ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି। ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ AICC ଅନୁମୋଦନ କରିଛି। ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ସୋନିଆଙ୍କୁ ଚିଠି ଲେଖିଥିଲେ ମୋକିମ। ଭକ୍ତଙ୍କ ନେତୃତ୍ୱକୁ ନେଇ ବି ପ୍ରଶ୍ନ ଉଠାଇଥିଲେ ମୋକିମ। ଯେଉଁଥିପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି।
ସୂଚନା ଥାଉକି, କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ରବିବାର ନୂଆଦିଲ୍ଲୀରେ ମୁହଁ ଖୋଲିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଥିଲେ, ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖାର୍ଗେ ଦଳକୁ ଆଗକୁ ନେଉଛନ୍ତି। କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ଭକ୍ତ କହିଥିଲେ।
ମୋକିମ୍ କହିଥିଲେ, ସେ କାହା ବିରୋଧରେ କିଛି କହିବେ ନାହିଁ। ମାତ୍ର ସେ ‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛନ୍ତି’ ଏବଂ ‘ଯାହା କରୁଛି ସବୁ ଭୁଲ ଓ ଠିକ୍ ମୋର’।
ମୋକିମ୍ ବାରମ୍ବାର ନିର୍ବାଚନ ହାରୁଥିବା ବରିଷ୍ଠ ନେତାମାନଙ୍କୁ ପଦପଦବୀ ନ ନେଇ ‘ମାର୍ଗଦର୍ଶକ’ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯୁବକଙ୍କୁ ନେତୃତ୍ୱ ଦେବା ପାଇଁ ବାଟ ଛାଡ଼ନ୍ତୁ। କଂଗ୍ରେସକୁ ପୁନର୍ଜୀବନ ଦରକାର ଥିବାରୁ ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ୱ ଆବଶ୍ୟକ।
ତିନି ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ ରେ ନେତୃତ୍ୱ ମିଳିଛି। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟ୍ରେ ହାରିଥିବା ଓ ତାଙ୍କ ସଂସଦୀୟ କ୍ଷେତ୍ରର କର୍ମୀ ତାଙ୍କୁ ବିଶ୍ୱାସ କରୁ ନ ଥିବା ଯୋଗୁ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ଅସମ୍ଭବ ବ୍ୟାପାର। ସେହିପରି ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ ପାଇଲା ଏବଂ ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ।