ଭୁବନେଶ୍ୱର,୧୯।୧୨(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବଢ଼ାଇବା ପାଇଁ ଯେଉଁ ବିଧେୟକ ଗୃହୀତ କରିଥିଲେ ତାହା ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଡିସେମ୍ବର ୯ ତାରିଖରେ ଗୃହରେ ପାରିତ ହୋଇଥିବା ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମାତ୍ର ୯ଦିନ ନ ପୂରୁଣୁ ବିରୋଧୀଙ୍କ ପ୍ରବଳ ବିରୋଧ ପରେ ଏହା ଏବେ ପୁନର୍ବିଚାର ପାଇଁ ରହିଛିି। ଏନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ଦୀର୍ଘସମୟ ଧରି ମାନସମନ୍ଥନ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମ ଆଗରେ ଭାଜପା ବିଧାୟକଙ୍କ ମତ ରଖିଛନ୍ତି। ତେବେ ସରକାର ଏତେବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବିଧାୟକଙ୍କ ଦରମା ବଢ଼ା ସୁପାରିସ କମିଟିର ସୁପାରିସକୁ କାହିଁକି ତର୍ଜମାକରି ନ ଥିଲେ ବୋଲି ବିଭିନ୍ନ ମହଲରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ରାଜ୍ୟରେ ନୂଆ ସରକାର କ୍ଷମତାସୀନ ହେବାର ୧୮ମାସ ହୋଇଛି। ଇତିିମଧ୍ୟରେ ସରକାର ଅନେକ ନିଷ୍ପତ୍ତି ନେବା ପରେ ତାକୁ ବଦଳାଇବାର ନଜିର ରହିଛି। ଜୁନ୍ରେ ପଞ୍ଚାୟତ ଉପନିର୍ବାଚନ ହେବା ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରିହେବାର କେଇଘଣ୍ଟା ପରେ ତାହାକୁ ବର୍ଷା ପାଇଁ ପରେ ସ୍ଥଗିତ ରଖାଯାଇଥିଲା। ଏହାକୁ ନେଇ ଏବେ ବି ସମ୍ପୃକ୍ତ ପଞ୍ଚାୟତବାସୀଙ୍କ ପକ୍ଷରୁ କେବେ ଉପନିର୍ବାଚନ ହେବ ଅନାଇ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଧାୟକ ଏବଂ ଅନ୍ୟମାନଙ୍କ ଦରମା ବଢ଼ା ନିଷ୍ପତ୍ତିର ପୁନର୍ବିଚାର ପ୍ରସ୍ତାବ ସରକାରଙ୍କ ପାଇଁ ଆଉ ଏକ ବୁମେରାଂ ସଦୃଶ ହୋଇଛି।
ତେବେ ବିଧାୟକଙ୍କ ଦରମା ବଢ଼ା ନିଷ୍ପତ୍ତିକୁ ନେଇ ପ୍ରଥମେ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗଣମାଧ୍ୟମରେ ନିଜର ବିରୋଧାଭାସ ରଖିଥିଲେ। ସେ କହିଥିଲେ,ବିଧାନସଭା ଚାଲିଥିବାବେଳେ ରାଜରାସ୍ତାରେ ଶତାଧିକ ଶିକ୍ଷକ, ଆଶାକର୍ମୀ ଓ ଅନ୍ୟ ସଙ୍ଗଠନ ତାଙ୍କର ହକ୍ ପାଇଁ ଦାବି କରୁଛନ୍ତି। ସରକାର ସେମାନଙ୍କ କଥାକୁ ବିଚାରକୁ ନ ନେଇ କାହିଁକି ନିଜର ଦରମା ବଢ଼ା ଭଳି ଭୁଲ୍ ନିଷ୍ପତ୍ତି ନେଲେ। ମୁଣ୍ଡାଙ୍କ ଏହି ବିରୋଧର କେଇଘଣ୍ଟା ପରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ନିଷ୍ପତ୍ତିକୁ ବିରୋଧକରି ତାଙ୍କର ଦରମା ରାଜ୍ୟର ଗରିବଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଲେ। ଏହାପରେ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିବାବେଳେ ସିପିଆଇଏମ୍ ପକ୍ଷରୁ ୨ଦିନ ତଳେ ରାଜ୍ୟପାଳଙ୍କୁ ଏହାକୁ ବିରୋଧ କରାଯାଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହାବାଦ୍ ବିଭିନ୍ନ ମହଲରେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ନାପସନ୍ଦ କରାଯାଇଥିଲା।
ଏହାକୁ ନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଧାୟକମାନଙ୍କୁ ନେଇ ଦୀର୍ଘସମୟ ପର୍ଯ୍ୟନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକମତକୁ ସମ୍ମାନ ଜଣାଇ ବୈଠକର ନିଷ୍ପତ୍ତିକ୍ରମେ ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହାର ପୁନର୍ବିଚାର ଲାଗି ଅନୁରୋଧ କରିଛନ୍ତି। ତେବେ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁଛନ୍ତି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।