ଭୁବନେଶ୍ୱର,୪ା୧: ଜାନକୀଙ୍କ ସ୍ମୃତି ସଭାରେ ମୋକିମ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିଥିବା ବେଳେ ଆଜି ପୁଣିଥରେ କଂଗ୍ରେସକୁ ଦୋଷ ଦେଇଛନ୍ତି । ଏଆଇସିସିର ଭୁଲ ନିଷ୍ପତ୍ତି ଯୋଗୁଁ କଂଗ୍ରେସ ଫେଲ ମାରିଛି ବୋଲି ସେ କହିଛନ୍ତି । ମୋକିମ ଆଗାମୀ ଦିନରେ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଦିନକୁ ଦିନ କଂଗ୍ରେସକୁ ଧୋଇବାରେ ଲାଗିଛନ୍ତି ।
କେବଳ ଓଡ଼ିଶା ନୁହେଁ ଏଆଇସିସିର ଭୁଲ ନିଷ୍ପତ୍ତି ଯୋଗୁଁ କଂଗ୍ରେସ ଅନ୍ୟ ରାଜ୍ୟରେ ମଧ୍ୟ ଫେଲ ମାରିଛି । ଯେଉଁ ରାଜ୍ୟରୁ କଂଗ୍ରେସ ଯାଉଛି ସେହି ରାଜ୍ୟରେ ଆଉ କ୍ଷମତାକୁ ଆସିପାରୁ ନାହିଁ । ଏଥିପାଇଁ କଂଗ୍ରେସର ଦିଲ୍ଲୀ ନେତୃତ୍ବ ହିଁ ଦାୟୀ । ସିଡବ୍ଲୁସିରେ ଶଶି ଥରୁର, ଦିଗବିଜୟ ସିଂ କହିଲେଣି କଂଗ୍ରେସ ଏହି ସେଟଅପରେ ଆଉ ଆଗକୁ ବଢ଼ିପାରିବ ନାହିଁ । ନୂଆ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିନି, ଆଉ ତିନିରୁ ଚାରି ପର୍ଯ୍ୟାୟ ଆଲୋଚନା ରହିଛି । ଭିନ୍ନ ପ୍ରକାରରେ ରାଜନୈତିକ ଦଳ ହେବ, ସାମାଜିକ ନ୍ୟାୟ କାର୍ଯ୍ୟ କରିବ ।


