ନୂଆଦିଲ୍ଲୀ,୧୪।୧୦: ରେଳ କର୍ମଚାରୀଙ୍କ ପାଇଁ ଦୀପାବଳି ପୂର୍ବରୁ ବଡ଼ ଖୁସି ଖବର ଆସିପାରେ। ବୁଧବାର ମୋଦି କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ପ୍ରଡକ୍ଟିଭିଟି ଲିଙ୍କଡ ବୋନସ (PLB) ଦେବା ପ୍ରସ୍ତାବକୁ ମଞ୍ଜୁରି ମିଳିପାରେ। ସୂତ୍ର ଅନୁଯାୟୀ, ପ୍ରାୟ ୧,୯୦୦ କୋଟି ଟଙ୍କାର ଏହି ବୋନସ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲଗାଇପାରେ। ଯଦି ଏହି ପ୍ରସ୍ତାବକୁ ଅନୁମୋଦନ ମିଳେ, ତେବେ ଏହା ରେଳ କର୍ମଚାରୀଙ୍କ ପାଇଁ ଦୀପାବଳି ପୂର୍ବରୁ ଏକ ବଡ଼ ଉପହାର ହେବ।
ରେଳବାଇରେ ନନ-ଗେଜେଟେଡ କର୍ମଚାରୀଙ୍କୁ ପ୍ରତିବର୍ଷ ପ୍ରଡକ୍ଟିଭିଟି ଲିଙ୍କଡ ବୋନସ ଦିଆଯାଏ। ଏହି ବୋନସର ହିସାବ ୭୮ ଦିନର ଦରମା ଏବଂ ୭,୦୦୦ ଟଙ୍କାର ନିର୍ଦ୍ଧାରିତ ଦରମା ସୀମା ଆଧାରରେ କରାଯାଏ। ଉଲ୍ଲେଖଯୋଗ୍ୟ, ୨୦୧୪-୧୫ ଆର୍ଥିକ ବର୍ଷଠାରୁ ଏହି ଦରମା ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ଦୀର୍ଘଦିନ ଧରି ଏହାକୁ ସଂଶୋଧନ କରିବାକୁ ଦାବି ହୋଇଆସୁଛି। ତେବେ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଏବଂ ବୋନସର ନୂଆ ରାଶି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରେଳ କର୍ମଚାରୀଙ୍କ ସଂଗଠନ ଇଣ୍ଡିଆନ ରେଲୱେଜ ଟେକ୍ନିକାଲ ସୁପରଭାଇଜର୍ସ ଆସୋସିଏସନ (IRTSA) ବୋନସ ହିସାବ ପାଇଁ ବ୍ୟବହୃତ ଦରମା ସୀମା ବୃଦ୍ଧି କରିବାକୁ ଦାବି କରିଛି।
ସଂଗଠନର ପ୍ରସ୍ତାବ ଅନୁଯାୟୀ, ଲେଭଲ-୨ ଏବଂ ତା’ଠାରୁ ଉପର ସ୍ତରର କର୍ମଚାରୀଙ୍କ ପାଇଁ ଦରମା ସୀମାକୁ ୧୮,୦୦୦ ଟଙ୍କା ସହ ମହଙ୍ଗା ଭତ୍ତା (DA) ଆଧାରରେ ନିର୍ଦ୍ଧାରଣ କରାଯିବା ଉଚିତ।
ବର୍ତ୍ତମାନର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଦର୍ଶାଇ IRTSA ଅଣକୁଶଳୀ କର୍ମଚାରୀଙ୍କ ପାଇଁ ୨୧,୦୦୦ ଟଙ୍କାର ସର୍ବନିମ୍ନ ଦରମାକୁ ମଧ୍ୟ ଉଦାହରଣ ଭାବେ ରଖିଛି।
୧୮,୦୦୦ ଟଙ୍କାର ଦରମା ସୀମା ଆଧାରରେ କର୍ମଚାରୀଙ୍କ ବାର୍ଷିକ ବୋନସ ଅତି କମ୍ରେ ୪୬,୧୮୪ ଟଙ୍କା କରିବାକୁ ସଂଗଠନ ସୁପାରିସ କରିଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।

