ବାରିପଦା,୨୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଙ୍ଗରିପୋଷିସ୍ଥିତ ଖଇରି ରିସୋର୍ଟରେ ହାତୀର ଗତିକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ‘ସଂଗ୍ରାମ’ ପକ୍ଷରୁ ଆୟୋଜିତ ବୈଠକରେ ସଙ୍ଗଠନର ସମ୍ପାଦକ ତଥା ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଉପସ୍ଥିତ ରହି ହାତୀ ସୁରକ୍ଷାରେ ଆଧୁନିକ ଶିକ୍ଷା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଆଗାମୀ ପିଢ଼ି ପାଇଁ ହାତୀ ସୁରକ୍ଷା ସହିତ ଜଙ୍ଗଲ ସୁରକ୍ଷା କରାଗଲେ ପରିବେଶ ସୁରକ୍ଷା ହୋଇପାରିବ ବୋଲି ସତପଥୀ କହିଥିଲେ। ସମ୍ମାନିତ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆଦ୍ୟାଶା ସତପଥୀ ହାତୀର ଗତିପଥକୁ ନେଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ମହୁଚାଷ ମାଧ୍ୟମରେ ହାତୀର ଚଲାପଥରେ ପରିବର୍ତ୍ତନ ଅଣାଯାଇପାରିବ। ସେହିପରି ଲଙ୍କା ତେଲ ଓ ଗୁଣ୍ଡର ଆଘ୍ରାଣ ଦ୍ବାରା ହାତୀକୁ ସୁପଥଗାମୀ କରାଯାଇପାରିବ।
ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସ୍ବତନ୍ତ୍ର ଅତିଥି ଭାବେ ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ଭଞ୍ଜଦେଓ ଉପସ୍ଥିତ ରହି ଶିମିଳିପାଳ ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ଜରୁରୀ ବୋଲି କହିଥିଲେ। ସଙ୍ଗଠନର ଉପସଭାପତି ବିଭୁ ପ୍ରସାଦ ଦାସ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ସଙ୍ଗଠନର ସଭାପତି ସଂଯୁକ୍ତା ବସା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ପରିବେଶବିତ୍ ତାରା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।