୮ ଦିନ ହେଲା ପୁରୁଷୋତ୍ତମପୁରରେ ମୋବାଇଲ ସେବା ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଉପଭୋକ୍ତା

ପୁରୁଷୋତ୍ତମପୁର,୧୧ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦିନକୁ ଦିନ ବିଏସ୍‌ଏସ୍‌ଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିୁଦ୍ୟତ୍‌ ଚାଲିଗଲେ ମୋବାଇଲ ନେଟ୍‌ଓ୍ବର୍କ ମଧ୍ୟ ଚାଲିଯାଉଛି। ଏ ପରିସ୍ଥିତି ଏଠାରେ ଦୀର୍ଘଦିନ ହେଲା ଲାଗି ରହିଥିବା ବେଳେ ଗତ ୪ରୁ ସମ୍ପୂର୍ଣ୍ଣ ରୂପେ ମୋବାଇଲ ସେବା ସହର ସାରା ଠପ୍‌ ହୋଇପଡ଼ିଛି। କେବଳ ବିଏସ୍‌ଏନ୍‌ଏଲ ଅଫିସଠାରୁ କିଛି ମିଟର ଦୂରତା ପର୍ଯ୍ୟନ୍ତ ନେଟ୍‌ଓ୍ବର୍କ କାର୍ଯ୍ୟ କରୁଥିବା ବେଳେ ସହରର ଅନ୍ୟ କୌଣସି ସ୍ଥାନରେ ନେଟ୍‌ଓ୍ବର୍କ କାର୍ଯ୍ୟ କରୁନାହିଁ। ଗ୍ରାହକମାନେ ମାସିକ ଶହଶହ ଟଙ୍କା ଦେଇ ମୋବାଇଲରେ ରିଚାର୍ଜ କରୁଥିଲେ ମଧ୍ୟ ସେବା ପାଇବାରୁ ବଞ୍ଚିତ ହୋଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏଭଳି ସମସ୍ୟା ଏଠାରେ ଲାଗି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କି ଯନ୍ତ୍ରୀ କେହି ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି। ଯାହାକି ବିଏସ୍‌ଏନ୍‌ଏଲ କମ୍ପାନୀ ଗ୍ରାହକଙ୍କୁ ଶୋଷଣ କରୁଥିବାର ନେଇ ଲୋକେ ଅଭିଯୋଗ କରିଛନ୍ତ। ଏପରିସ୍ଥିତିକୁ ନେଇ ବହୁ ଗ୍ରାହକ ହଇରାଣ ହୋଇ ବିଏସ୍‌ଏନ୍‌ଏଲ୍‌ରୁ ମୁହଁ ଫେରାଇ ଅନ୍ୟ ନେଟଓ୍ବର୍କକୁ ଯିବାରେ ଲାଗିଛନ୍ତି। ଏହାକୁ ନେଇ ଓକିଲ, ବୁଦ୍ଧିଜୀବୀ ବ୍ୟବସାୟୀ ଜନସାଧାରଣଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଗ୍ରାହକଙ୍କଠାରୁ ରିଚାର୍ଜ ଟଙ୍କା ନେଇ ବିଏସ୍‌ଏନ୍‌ଏଲ ସେବା ଦେଉ ନ ଥିବାକୁ ନେଇ ଅଦାଲତରେ ଆଇନର ଆଶ୍ରୟ ନିଆଯିବ ବୋଲି ଉପଭୋକ୍ତାଙ୍କ ସମେତ ଓକିଲ ସଂଘ ପକ୍ଷରୁ ରୋକ୍‌ଠୋକ୍‌ ଭାବରେ ଚେତାବନୀ ଦିଆଯାଇଛି।

Share
Tags: mobile tower