୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି। ଗ୍ରାମବାସୀ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ପ୍ରକାଶ ଯେ, ପର୍ତ୍ତମାହା ଏକ ପ୍ରମୁଖ ବ୍ୟବସାୟୀ ପେଣ୍ଠସ୍ଥଳୀ ସେଠାରେ ଅଞ୍ଚଳର ଶହଶହ କୃଷକ ନିଜ ଅମଳ ସାମଗ୍ରୀ ବଜାରରେ ବିକ୍ରି କରିଥାନ୍ତି। ବିକ୍ରି କରିବା ପାଇଁ ସେମାନେ ଦାରିଙ୍ଗବାଡ଼ି ଓ ଅନ୍ୟ ସହରକୁ ଫୋନ୍‌ କରି ଦର ବୁଝିଥାନ୍ତି। ସେହିପରି ଖଲିପତ୍ର ସଂଗ୍ରହ ଓ ହଳଦୀର ମୁଖ୍ୟ ବଜାର ଭାବେ ପର୍ତ୍ତମାହା ବଜାର ଜଣାଶୁଣା ଯାହାକି ୧୦ ଦିନ ହେଲା ନେଟ୍‌ଓ୍ବର୍କ ଅଚଳ ଯୋଗୁ ଏବେ କ୍ଷୁଦ୍ର, ମାଧ୍ୟମ ଓ ବଡ଼ ବ୍ୟବସାୟୀମାନେ ହଇରାଣ ଭୋଗୁଛନ୍ତି। ସେହିପରି ନେଟ୍‌ଓ୍ବର୍କ ଅଚଳ ଯୋଗୁ୍‌ କ୍ଷୁଦ୍ର ବ୍ୟାଙ୍କ ସେବା ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଅଚଳ ହୋଇପଡ଼ିଛି।