ବଢୁଛି ବିଧାୟକଙ୍କ ଲୋକପ୍ରିୟତା: ଭାଜପାରେ ମିଶିଲେ ୫ ବିଜେଡି ସରପଞ୍ଚ

ଭଞ୍ଜନଗର,୨୨ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ବୁଧବାର ବିରୋଧୀ ଦଳର ବହୁ କର୍ମୀଙ୍କ ସମେତ ବିଜେଡି ସମର୍ଥିତ ୫ ଜଣ ସରପଞ୍ଚ ଓ ସମିତିସଭ୍ୟ ଦଳ ଛାଡ଼ି
ଭାଜପାରେ ଯୋଗ ଦେଇଛନ୍ତି। ଏଥିସହ ଭଞ୍ଜନଗର ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା ଏବଂ ତାଙ୍କ ସମର୍ଥକ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ହରିଗଡ଼, ଗାଲେରୀ, ବାରୁଡ଼ା, ବ୍ରାହ୍ମଣପଦରର ସରପଞ୍ଚ ଓ ସାନକୋଦଣ୍ଡ ସମିତିସଭ୍ୟ ଭାଜପାରେ ଯୋଗ ଦେଇଛନ୍ତି। ତେଣୁ ନିର୍ବାଚନ ମଣ୍ଡଳୀରେ ପ୍ରଦ୍ୟୁମ୍ନ ଲୋକପ୍ରିୟତା ପୂର୍ବ ଅପେକ୍ଷା
ବହୁତ ବଢ଼ିଯାଇଛି। ମିଶ୍ରଣ ପର୍ବ ପୂର୍ବରୁ ସେମାନେ ନିଜ ସମର୍ଥକମାନଙ୍କୁ ନେଇ ଶୋଭାଯାତ୍ରାରେ ସଭାସ୍ଥଳକୁ ଆସିଥିଲେ। ଏନେଇ କଲେଜ ରୋଡ୍‌ ବିଡେକା ପଡ଼ିଆରେ ମିଶ୍ରଣ ପର୍ବ ହୋଇଥିଲା। ଏଥିରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେଇ ନୂତନ ନେତା ଓ କର୍ମୀଙ୍କୁ ସ୍ବାଗତ କରିଥିଲେ। ଏଥିସହ ନବାଗତ, ପୁରୁଣା ନେତା ଓ କର୍ମୀଙ୍କୁ ନେଇ ମିଳିମିଶି ଆଗକୁ ବଢ଼ିବା ବୋଲି ଉଭୟ ନେତା କହିଥିଲେ। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ସାଂଗଠନିକ ଜିଲା ଭାଜପା ସଭାପତି ନୀଳମାଧବ ପାତ୍ର, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନୀଳାଚଳ ଖିଲାର, ଏମ୍‌ପି ପ୍ରତିନିଧି ମହେନ୍ଦ୍ର ପଣ୍ଡା, ରବୀନ୍ଦ୍ର ଗୌଡ଼, ସନ୍ତୋଷ ତିଆଡ଼ି, ଧୋବା ଗୌଡ, ଶିବ ଶଙ୍କର ପ୍ରଧାନ, ସମସ୍ତ ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପ୍ରଦ୍ୟୁମ୍ନ ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରଠୁ ତାଙ୍କର ଲୋକ ପ୍ରିୟତା ଦିନକୁ ଦିନ ବଢୁଥିବା ଲକ୍ଷ୍ୟ କରାଯାଉଛି। ବିରୋଧୀ ଦଳର ଅଧିକାଂଶ ନେତା ବର୍ତ୍ତମାନ ଭାଜପାରେ ମିଶି ଗଲେଣି।

Dharitri – Odisha’s No.1 Odia Daily

Share