ଛତ୍ରପୁର, ଗଞ୍ଜାମ ବିକାଶ ପାଇଁ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଧାୟକ: ୨ ଏକ୍ସପ୍ରେସ ରହଣି, କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦାବି

ଗଞ୍ଜାମ / ଛତ୍ରପୁର,୧୬।୧(ଅନାଥ ତରାଇ/ ଦିଲ୍ଲୀପ ସାମଲ ): ଛତ୍ରପୁର ନିର୍ବାଚନମଣ୍ଡଳୀର ବିକାଶ ଓ ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ।  ଶୁକ୍ରବାର ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅଞ୍ଚଳର ପ୍ରମୁଖ ସମସ୍ୟା ଓ ଦାବି ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ମୁଖ୍ୟ ଦାବି ମଧ୍ୟରୁ ଛତ୍ରପୁର ରେଳଷ୍ଟେଶନରେ ଗୁରୁତ୍ୱପୂର୍ଣ୍ଣ ଫାଲକନାମା ଏକ୍ସପ୍ରେସ ଏବଂ ୟଶବନ୍ତପୁରହାଓଡା ଏକ୍ସପ୍ରେସର ରହଣି ପାଇଁ ବିଧାୟକ ଦୃଢ଼ ଦାବି କରିଛନ୍ତି। ଏହି ଦୁଇଟି ପ୍ରମୁଖ ଟ୍ରେନ୍‌ ଛତ୍ରପୁରରେ ରହିଲେ ସ୍ଥାନୀୟ ଯାତ୍ରୀମାନଙ୍କୁ ହାଇଦ୍ରାବାଦ, ବାଙ୍ଗାଲୋର ଓ କୋଲକୋତା ଆଦି ବଡ଼ ସହରଗୁଡ଼ିକୁ ସହଜ ଓ ସୁବିଧାଜନକ ଯାତାୟାତ ହୋଇ ପାରିବ। ଏହା ସହ ସ୍ଥାନୀୟ ଯାତ୍ରୀ, ବ୍ୟବସାୟୀ ଏବଂ ରୋଗୀମାନେ ବିଶେଷ ଭାବେ ଉପକୃତ ହେବେ।
ସେହିଭଳି ଗଞ୍ଜାମ ବ୍ଲକରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ  ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହା ଦ୍ୱାରା ଅଞ୍ଚଳର ଛାତ୍ରୀଛାତ୍ରମାନେ ଉନ୍ନତମାନର ଶିକ୍ଷା ପାଇବା ସହ ସେମାନଙ୍କ ଶୈକ୍ଷିକ ଭବିଷ୍ୟତ ଉଜ୍ଜ୍ୱଳ ହେବ। ବିଧାୟକ ନାୟକ କହିଛନ୍ତି ଯେ, ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ସାମଗ୍ରୀକ ବିକାଶ, ଶିକ୍ଷା ଓ ଯାତାୟାତ ସୁବିଧାକୁ ନୂତନ ଦିଗ ଦେବା ଆମର ପ୍ରାଥମିକତା। କେନ୍ଦ୍ର ସରକାର ଜନସାଧାରଣଙ୍କ ଏହି ନ୍ୟାୟସଙ୍ଗତ ଦାବିକୁ ଶୀଘ୍ର ପୂରଣ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଜନସାଧାରଣଙ୍କ ସ୍ବରକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି ବିଧାୟକ ନାୟକ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily