କୋରାପୁଟ,୨୫।୮(ଅମିତାଭ ବେହେରା) କୋରାପୁଟ ରେଳ ଷ୍ଟେଶନରୁ ସେମିଲିଗୁଡ଼ା, ଦୁଧାରୀ, କୋଟିଆ, ଦାଣ୍ଡିଗାଁ, ସାଲୁର ଦେଇ ବୋବିଲି ରେଳ ଷ୍ଟେଶନ ଏବଂ କୋରାପୁଟ ରେଳ ଷ୍ଟେସନରୁ ସେମିଲିଗୁଡ଼ା, କୁନ୍ଦୁଲି, ସଦାମ ଏବଂ ଚୌଗାଁ ଦେଇ ଆରକୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ନୂତନ ରେଳ ଲାଇନ ନିର୍ମାଣ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପଟ୍ଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ ଚିଠି ଲେଖି ଅନୁରୋଧ କରିଛନ୍ତି।
ଓଡ଼ିଶାର କୋରାପୁଟ ଜିଲା ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ରେଳ ନେଟୱାର୍କର ଅଭାବ ରହିଛି। ଫଳରେ କୋରାପୁଟ ଜିଲାର ଆଦିବାସୀ ଲୋକମାନେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ପଛରେ ପଡିଛନ୍ତି।
ଅଞ୍ଚଳବାସୀ ନୂତନ ରେଳ ଲାଇନ ପାଇଁ ଦାବି କରିଆସୁଛନ୍ତି। ପ୍ରସ୍ତାବିତ ନୂତନ ରେଳ ଲାଇନ କେବଳ ଭାରତୀୟ ରେଳବାଇକୁ ଆର୍ଥିକ ଲାଭ ଦେବ ନାହିଁ ବରଂ ଏହା ପୂର୍ବ ଘାଟ ଅଞ୍ଚଳରେ ଯୋଗାଯୋଗ, ପରିବହନ ଏବଂ ସେମିଲିଗୁଡ଼ାରେ ପ୍ରସ୍ତାବିତ କ୍ଷୁଦ୍ର ଶିଳ୍ପ କେନ୍ଦ୍ର ବିକଶିତ କରିବାରେ ସାହାଯ୍ୟ କରିବ ବୋଲି କାଡ଼ାମ ଚିଠିରେ ଦର୍ଶାଇଛନ୍ତି।
ଉକ୍ତ ପ୍ରସ୍ତାବିତ ଲାଇନଗୁଡ଼ିକ ସ୍ବାଧୀନତା ପୂର୍ବରୁ ୧୯୪୩ରୁ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ସର୍ଭେ ଏବଂ ବିଚାରାଧୀନ ଥିବା ଏବଂ ଆଦିବାସୀ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ଏହି ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଜଣାଇବା ସହ କୋରାପୁଟ ଜିଲାରେ ନୂତନ ରେଳ ଲାଇନ ବିକାଶ ପାଇଁ ଆଗ୍ରହ ପ୍ରକାଶ କରନ୍ତୁ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା କାଡ଼ାମ ଅନୁରୋଧ କରିଛନ୍ତି।