ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍ଏସି ଅଧ୍ୟକ୍ଷl ଓ କାଉସିଲରଙ୍କ ମଧ୍ୟରେ ମୁହାଁମୁହିଁ ସୃଷ୍ଟି ହୋଇଥିଲା।
ପରିସ୍ଥିତି ଏମିତି ହେଲା ଯେ, ସଭାମଞ୍ଚକୁ ଟଣାହୋଇ ଆସିଲେ ମହାପ୍ରଭୁ। ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବାରୁ ମହାପ୍ରଭୁଙ୍କୁ ଛୁଇଁ ଶପଥ କରିବା ଯାଏ ସ୍ଥିତି ଉପୁଜିଲା। ଏଭଳି କିଛି ଘଟଣାର ଭିଡିଓ ଏବେ ଗଞ୍ଜାମ ରାଜନୀତିକୁ ସରଗରମ କରିଛି।
ଚିକିଟି ନିର୍ବାଚନ ମଣ୍ଡଳୀର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକ ତଥା ପାତ୍ରପୁର ଗ୍ରାମର ନିତେଶ କୁମାର ମହାନ୍ତି ଅଶ୍ଳୀଳ ଭାଷାରେ କାଉସିଲରମାନଙ୍କୁ ଗାଳିଗୁଲଜ କରିଥିଲେ। ଏନ୍ଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଶନିବାର କେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ଚିକିଟି ବ୍ଲକରେ ବିଜେଡି ଓ ଭାଜପା ଭତ୍ତା ବଣ୍ଟନ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ନେଇ ଛକାପଞ୍ଝା ଲାଗିରହିଛି। ଏହି ଭଳି ଘଟଣାକୁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖ ପ୍ରକାଶ କରିବା ସହ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ପାତ୍ରପୁର ଅଞ୍ଚଳର କିଛି ସମର୍ଥକ ସଭାରେ ପହଞ୍ଚି କାଉସିଲର ଏବଂ ଅଧ୍ୟକ୍ଷାଙ୍କୁ ଗାଳିଗୁଲଜ କରିଥିବାରୁ ଏହାର ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏନେଇ କେ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ସୋରେନ ଭତ୍ତା ବଣ୍ଟନ ସମ୍ପର୍କରେ ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ସମେତ ସମସ୍ତ କାଉସିଲରଙ୍କୁ କୌଣସି ସୂଚନା ଦେଇ ନ ଥିବାରୁ ଏହାକୁ ବନ୍ଦ କରିବାକୁ ଅଧ୍ୟକ୍ଷା ଦାବି କରିଥିବା ବେଳେ ବିଧାୟକ ରାଜନୈତିକ ଆକ୍ରୋଶ ରଖି ନିର୍ବାହୀ ଅଧିକାରୀଙ୍କ ଉପରେ ଚାପ ପକାଇ ଭତ୍ତା ଓ ରାଶନକାର୍ଡରେ ଜାଲିଆତି କରି ତରବରିଆ ଭାବେ ବାଣ୍ଟିବା ପାଇଁ ଜିଦ ଧରିଥିବା ବେଳେ ଅଧ୍ୟକ୍ଷା, କାଉସିଲର ଏବଂ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ଦେଖାଦେଇଥିଲା। ଏ ସମ୍ପର୍କରେ କେ. ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକଙ୍କ ସହ ଯୋଗାଯୋଗ ବେଳେ ଅଭିଯୋଗ ଆସିଛି ତଦନ୍ତ ପରେ ମାମଲା ରୁଜୁ ହେବ ବୋଲି କହିଛନ୍ତି।