ଦାଦନ ଖଟିବାକୁ ଯାଇ ଘରକୁ ଫେରିବା ବେଳେ ଟ୍ରେନ୍‌ରୁ ଶ୍ରମିକ ନିଖୋଜ, କାନ୍ଦିକାନ୍ଦି ସ୍ତ୍ରୀ କହୁଛନ୍ତି ମୋ’ ସ୍ବାମୀଙ୍କୁ ଫେରାଇ ଆଣ

ପୁରୁଷୋତ୍ତମପୁର,୨୪ା୯(ସୀମାଞ୍ଚଳ ମିଶ୍ର): ପରିବାର ପ୍ରତିପୋଷଣ କରିବା ଲାଗି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗଟିପଲ୍ଲୀ ଗ୍ରାମର ସନ୍ତୋଷ ବେହେରା(୪୦)ଙ୍କ ୧୩ ଦିନ ହେଲା ପତ୍ତା ମିଳୁନି। ଫଳରେ ପରିବାର ଲୋକେ ସମ୍ପୂର୍ଣ୍ଣ ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ ଘରେ ଚୁଲି ବି ଜଳୁନି। ଏହାକୁ ନେଇ ସନ୍ତୋଷଙ୍କ ସ୍ତ୍ରୀ ଗାୟତ୍ରୀ ବେହେରା କାନ୍ଦିକାନ୍ଦି କହୁଛନ୍ତି ମୋ’ ସ୍ବାମୀଙ୍କୁ କେହି ଖୋଜି ଆଣି ଫେରାଇ ଦିଅ। ଯେଉଁ ଦୃଶ୍ୟ ଅତ୍ୟନ୍ତ କରୁଣ।

ପରିବାର ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା ଶ୍ରମ ବିଭାଗ, ବ୍ରହ୍ମପୁର ରେଳବାଇ ପୋଲିସ ଓ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି ବୋଲି କହିଛନ୍ତି ଗାୟତ୍ରୀ। ସନ୍ତୋଷଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି। ତାଙ୍କର ୪ ଭାଇ ମଧ୍ୟରୁ ୩ ଭାଇଙ୍କର ମୃତ୍ୟୁ ଘଟିଥିବାବେଳେ ସେ ଏକମାତ୍ର ରୋଜଗାରିଆ ବ୍ୟକ୍ତି ଭାବରେ ରହି ତାଙ୍କ ବୃଦ୍ଧା ମା’ଙ୍କ ସମେତ ମୃତ ୩ ଭାଇଙ୍କ ପରିବାର ଓ ନିଜ ପରିବାରକୁ ପ୍ରତିପୋଷଣ କରୁଥିଲେ। ଗ୍ରାମରେ କାମଧନ୍ଦା ଅଭାବରୁ ଏତେ ବଡ଼ ପରିବାରକୁ କିପରି ପୋଷିବେ ସେଥିନେଇ ଚିନ୍ତାରେ ପଡ଼ି ବର୍ଷେ ତଳେ ଦାଦନ ଖଟିବା ଲାଗି କେରଳ ଯାଇ ସେଠାରେ କାମ କରୁଥିଲେ। ଆଉ ସେହି ପଇସାରେ ପରିବାର ବଞ୍ଚୁଥିଲେ। ହେଲେ ସନ୍ତୋଷ ନିଜଗ୍ରାମକୁ ଆସିବା ଲାଗି ସେଠାରୁ ଗତ ୧୦ ତାରିଖରେ ବିବେକ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ନଂ ୨୨୫୦୩ ଯୋଗେ ଫେରୁଥିବା ବେଳେ ତାଙ୍କର ମୋବାଇଲ ନଂ ୯୦୭୪୩୮୦୯୮୨ ମାଧ୍ୟମରେ ପରିବାର ସହ କଥା ହୋଇଥିଲେ। ମାତ୍ର ୧୧ ତାରିଖ ଅପରାହ୍ନ ୪ଟା ପରଠାରୁ ଆଉ ଯୋଗାଯୋଗ ହୋଇପାରୁନାହିଁ କି ସନ୍ତୋଷ ଘରକୁ ମଧ୍ୟ ଆସି ନ ଥିବା ସ୍ତ୍ରୀ ଗାୟତ୍ରୀ କହିଛନ୍ତି। ସେ କୁଆଡ଼େ ଗଲେ କ’ଣ ହେଲା ସେଥିନେଇ ପୂରା ପରିବାର ଚିନ୍ତାରେ ପଡ଼ି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି। ଏଣୁ ଏଥିପ୍ରତି ଗଞ୍ଜାମ ଜିଲାପାଳ ଓ ରାଜ୍ୟ ସରକାର ଦୃଷ୍ଟି ଦେଇ ସନ୍ତୋଷଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା କରିବା ଲାଗି ପଦକ୍ଷେପ ନେବାକୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ନିବେଦନ କରିଛନ୍ତି।