ଆନନ୍ଦପୁର,୧୮ା୧:(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ବିରିଡିହା ଗ୍ରାମର ମହିଳା ନଦୀକୁ ଶୌଚ ହେବାପାଇଁ ଯାଇ ନିଖୋଜ ଥିବା ବେଳେ ରବିବାର ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ କଣ୍ଟିପାଳ ପଂଚାୟତ ବିରିଡିହା ଗ୍ରାମର ମିନତୀ ବେହେରା (୪୨) ଗୁରୁବାର ସକାଳ ୮ଟା୩୦ ସମୟରେ ଶଶୁରଙ୍କୁ ଚା ପିଇବାକୁ ଦେଇ ଘଣ୍ଟିଆ ନାଳକୁ ଶୌଚ ପାଇଁ ଯାଇଥିଲେ ।
ବୋହୂ ମିନତୀ ଫେରିବା ବିଳମ୍ବ ହେବାରୁ ଶଶୁର ଚେମଣ ବେହେରା (୭୦)ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ହେଲେ ସ୍ଥାନୀୟ ଲୋକ ଗ୍ରାମବାସୀ ବୋହୂ ଖୋଜା ଖୋଜି କରିଥିଲେ ଏବଂ ବନ୍ଧୁ ବାନ୍ଧବ ଲୋକଙ୍କୁ ଫୋନ କରି ପଚାରିଥିଲେ ସୁଦ୍ଧା ମିନତୀର ସନ୍ଧାନ ମିଳିନଥିଲା । ପରିବାରରେ କେବଳ ଶଶୁର ବୋହୂ ରହୁଥିବା ବେଳେ ଶଳା ଭାଉଜର ନିଖୋଜ ଖବର ଶୁଣି ବେଲବାହାଳୀ ଡିହ ସାହି ଗ୍ରାମର ଜ୍ୱାଇଁ ଅଭିମନ୍ୟୁ ଦେହୁରୀ ଗୁରୁବାର ସନ୍ଧ୍ୟାରେ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ ।
ମିନତୀଙ୍କ ଖୋଜ ଖବର ମିଳିନଥିବା ବେଳେ ରବିବାର ବାରୁଆଁ ଜଙ୍ଗଲକୁ ସ୍ଥାନୀୟ ଲୋକେ ଯାଇଥିବା ବେଳେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ମହିଳାଙ୍କୁ ଚି଼ହ୍ନଟ କରି ଆନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ତେବେ ଖବର ସଂଗ୍ରହ ବେଳକୁ ଆନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିଲା ।