ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ ଛାତ୍ରୀଙ୍କ ମୃତଦେହ ଶୁକ୍ରବାର ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ କେନାଲରୁ ପୋଲିସ ମୃତଦେହ ଉଦ୍ଧାର କରିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ତଦନ୍ତ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମାଳିପୁର ଗାଁର ମାନ ଗୋବିନ୍ଦ ସେନାପତିଙ୍କ ଝିଅ ଶୁଭଲକ୍ଷ୍ମୀ ତାଙ୍କ ମାମୁଁ ଘର ରାଜନଗର ବଡକୋହ୍ଲା ଗାଁକୁ ଯାଇଥିଲେ । ଗୁରୁବାର ସକାଳୁ ସେ ବାହାରକୁ ଯାଇ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତା ନ ମିଳିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ଗତକାଲି ଠାରୁ ପୋଲିସ ନିଖୋଜ ନାବାଳିକା ସନ୍ଧାନରେ ଲାଗିପଡିଥିଲା। ପୁନର୍ବାର ଆଜି ସକାଳୁ ଅଗ୍ନିଶମ ବିଭାଗ ସହ ପୋଲିସ ଅଧିକାରୀ ଗ୍ରାମ ଆଖପାଖରେ ଖୋଜାଖୋଜି କରିବା ଆରମ୍ଭ କରିଥିଲା। ଖୋଜିବା ସମୟରେ ନିକଟସ୍ଥ କେନାଲରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ସେହି ଗାଁର ଜନୈକ ବ୍ୟକ୍ତି ଝିଅକୁ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ କରି ଅଭିଯୋଗ ଉଠାଇଛନ୍ତି । ଯାହାକୁ ନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି କେନ୍ଦ୍ରାପଡା ଏସପି କଟାରିଆ କହିଛନ୍ତି । ଏନେଇ ରାଜନଗର ଥାନା ପୋଲିସ ୧୩୮/୨୦୨୬ରେ ଏକ ମାମଲା ରୁଜୁ କରିଛି ।

 

Dharitri – Odisha’s No.1 Odia Daily

Share