ବୈଶିଙ୍ଗା,୧ା୭(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ବଡଗୁମା ବଜାର ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରେ ସୋମବାର ରାତି ଗୋଟାଏ ସମୟରେ ଜଣେ ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହିତ ଉଲଗ୍ନ ହୋଇ ନିଆଁ ଲଗାଇ ବାଇକ୍ ଜାଳି ଦେଇଛନ୍ତି। ଏହି ଘଟଣାର ଦୃଶ୍ୟ ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ସପନ କୁମାର ସାନ୍ତରାଙ୍କ ବଡଗୁମା ବଜାରଠାରେ ଥିବା ଔଷଧ ଦୋକାନରେ ସୋମବାର ରାତି ଗୋଟାଏ ବେଳେ ଜଣେ ବ୍ୟକ୍ତି ମୁଣ୍ଡରେ ହେଲମେଟ ପିନ୍ଧି ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ। ଦୋକାନର ସାଇନବୋର୍ଡ , ବାରଣ୍ଡାରେ ଥିବା ଚେୟାର ଟେବୁଲ ଆଦି ଉପକରଣକୁ ଏକ ଠେଙ୍ଗା ସାହାଯ୍ୟରେ ବାଡ଼େଇ ଭାଙ୍ଗି ପକାଇଥିଲେ।
ଏହାପରେ କିଛି ସମୟ ପାଇଁ ସେ ଘଟଣାସ୍ଥଳରୁ ଚାଲିଯାଇଥିଲେ। ହେଲେ ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନ ଥିଲା। କିଛି ସମୟ ପରେ ସେ ପୁଣି ଫେରି ଆସିଥିଲେ। ହେଲେ ଏଥର ସମ୍ପୂର୍ଣ୍ଣ ଉଲଗ୍ନ ଶରୀରରେ ଆସିଥିବା ବେଳେ ମୁଣ୍ଡରେ ହେଲମେଟ ବଦଳରେ ଏକ ଗାମୁଛାରେ ସମ୍ପୂର୍ଣ୍ଣ ମୁଖମଣ୍ଡଳକୁ ଢାଙ୍କିହୋଇ ଏକ ନିଆଁହୁଳା ଧରି ପହଞ୍ଚିଲେ ଦୋକାନ ନିକଟରେ। ପୂର୍ବରୁ ଭଙ୍ଗାରୁଜା କରି ଛାଡ଼ି ଯାଇଥିବା ଚେୟାର, ଟେବୁଲ, ସାଇନବୋର୍ଡ ସହ ବାରଣ୍ଡାରେ ଥିବା ବାଇକରେ ନିଆଁ ଲଗାଇ ଦେଇଥିଲେ। ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ଖବରପାଇ ପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।