ଗଜପତି,୨୦।୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ମଧୁରନାରାୟଣପେଟା ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି କଳାକନା ବୁଲାଇଥିବାର ଜଣାଯାଇଛି । ଦୁର୍ବୃତ୍ତଙ୍କ କଳାକାରନାମା ସିସିଟିଭିରେ କଏଦ ହୋଇଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି ।
ଚୋରୀ ହୋଇଥିବା ଘରର ମାଲିକ ତଥା ବ୍ୟବସାୟୀ ଟି.ଲବକୁମାରଙ୍କ ସୂତ୍ରରୁ ପ୍ରକାଶ ଯେ, ସେ ସପରିବାର ସହ ଗତ ୧୪ ତାରିଖରେ ତିରୁପତି ତିରୁମାଳା ଦର୍ଶନ ପାଇଁ ଯାଇଥିଲେ। ତେବେ ଗତ ୧୭ ତାରିଖ ରାତିରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଦୋକାନ ଘରେ ପଶି ଘରେ ଥିବା ଅଢ଼େଇ ତୋଳା ଓଜନର ସୁନା, ୩୦୦ ଗ୍ରାମ ରୂପା, ବଡ ତମ୍ବା ପାତ୍ର ସହ ନଗଦ ୧ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ । ତେବେ ୧୮ ତାରିଖ ଦିନ ଗ୍ରାମବାସୀ ଘରର ତାଲା ଭଙ୍ଗାଯିବା ଘଟଣା ଦେଖି ତିରୁପତି ଯାଇଥିବା ଲବକୁମାର ଏବଂ ଗୁରାଣ୍ଡି ଥାନାକୁ ଖବର ଦେଇଥିଲେ। ଲବକୁମାର ଓ ତାଙ୍କ ସପରିବାର ଗତକାଲି ନିଜ ଗ୍ରାମରେ ପହଞ୍ଚିଥିଲେ। ଗୁରୁବାର ଏନେଇ ଗୁରାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ଗୁରାଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇବା ପାଇଁ ଯିବା ବେଳେ ଲବକୁମାରଙ୍କ ଘର ନିକଟରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି । ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ଦୁର୍ବୃତ୍ତ ସିସିଟିଭି କ୍ୟାମେରାର ଦିଗ ବଦଳାଇବା ସହ ଘରର କାନ୍ଥ ଚଢୁଥିବାର ଦେଖିବାକୁ ମିଳୁଛି ।
Dharitri – Odisha’s No.1 Odia Daily