ମହେନ୍ଦ୍ରଗିରିରେ ବାବାଙ୍କ ଆଶ୍ରମର ଭିତରେ ପଶି ଭାଙ୍ଗରୁଜା, ପାଣି ମଟର ଭାଙ୍ଗିଲେ ଦୃବର୍ତ୍ତ

ପାରଳାଖେମୁଣ୍ଡି,୧।୩(ଗିରିଧାରୀ ପରିଛା): ଗଜପତି ଜିଲାର ଐତିହାସିକ ତଥା ଆଧ୍ୟାତ୍ମିକ ଓ ପୌରାଣିକ କ୍ଷେତ୍ର ରାୟଗଡ଼ ବ୍ଲକ ଅଧିନରେ ଥିବା ମହେନ୍ଦ୍ରଗିରି ଏବେ ଅଶାନ୍ତମୟ ହୋଇପଡିଛି । ଶନିବାର ମଧ୍ୟାହ୍ନରେ କିଛି ଦୃବର୍ତ୍ତମାନେ କୁନ୍ତୀ ମନ୍ଦିର ନିକଟରେ ଥିବା ଆଶ୍ରମରେ କବାଟ ଭାଙ୍ଗି ପଶି ଭିତରେ ଥିବା ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ସେଠାରେ ରହି ଆସୁଥିବା ମହେନ୍ଦ୍ର ଆଶ୍ରମର ସନ୍ଥ ପ୍ରଫୁଲ ବାବା ଆହତ ହୋଇଥିବା ଜଣାପଡିଛି ।

ପର୍ଯ୍ୟଟକଙ୍କ ନିମନ୍ତେ ତିଆରି ହୋଇଥିବା ଇକୋରିସର୍ଟ୍ ପାଇଁ ପାଣି ଯୋଗାଉଥିବା ଦୁଇଟି ପାଣି ମଟର ଭାଙ୍ଗିବା ସହ ପାଣି ପାଇପ୍ ଗୁଡିକ ମଧ୍ୟ କାଟି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଇକୋରିସର୍ଟକୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି । ପର୍ଯଟକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମହାଶିବରାତ୍ରିରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ପାଇଖାନା ଗୁଡିକ ମଧ୍ୟ ଭାଙ୍ଗି ଦେଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୁଲିସ ପହଂଚି ସେମାନଙ୍କୁ ବୁଝାସୁଝା କରି ପଠାଇ ଥିଲା। ତେବେ ଏହା ଘଟଣାକୁ ନେଇ ଆଜି ଗରବନ୍ଧ ଥାନାରେ ପୃଥକ ପୃଥକ ଭାବେ ତିନି ଗୋଟି ଏତଲା ଦାୟର ହୋଇଛି । ଗୋଟିଏ ବନ ବିଭାଗ ତରଫରୁ ଦାୟର କରାଯାଇଥିବା ବେଳେ ଅନ୍ୟଟି ମହେନ୍ଦ୍ର ଆଶ୍ରମ ପକ୍ଷରୁ ଭଙ୍ଗାରୁଜାକୁ ନେଇ ଦାୟର କରାଯାଇଛି ।

ପାଲଟାରେ ବାରଘର ଗ୍ରାମବାସୀଙ୍କ ତରଫରୁ ଗରବନ୍ଧା ଥାନାରେ ପୃଥକ ପୃଥକ ଭାବେ ତିନି ଗୋଟି ମାମଲା ରୁଜୁ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ମହେନ୍ଦ୍ରଗିରି ପର୍ବତ ଉପରେ ବାରଘର ଗ୍ରାମର ଆଦିବାସୀଙ୍କ ଅଧିକାର ରହିଛି । ମହେନ୍ଦ୍ରଗିରିର ଉନ୍ନତି ନାମରେ ସେଠାର ଯେଉଁ ଇକୋ ରିଶର୍ଟ କରାଯାଇଛି । ସେଠାର ପାନୀୟ ଜଳ ଓ ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଜଳ ଯୋଗାଇବା ପାଇଁ ବନ ବିଭାଗ ତରଫରୁ ଯେତିକି ପରିମାଣର ଟ୍ୟାଙ୍କର ଯୋଗେ ପାଣି ନେବା ସହ କୁନ୍ତୀ ମନ୍ଦୀର ନିକଟରେ ରହିଥିବା ଜଳଉତ୍ସରୁ ମୋଟର ଯୋଗେ ନିଆଯାଉଛି ତାହା ଦ୍ଵାରା ବାରଘର ଗ୍ରାମବାସୀଙ୍କୁ ଉତ୍କଟ ପାନୀୟ ଜଳ ସମସ୍ୟା ଭୋଗିବାକୁ ପଡୁଛି ।  ଏହି ଉନ୍ନୟନ କାର୍ଯ୍ୟକୁ ମହେନ୍ଦ୍ରଗିରି ଆଶ୍ରମ ପ୍ରଶୟ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଅନ୍ୟପକ୍ଷେ ମହେନ୍ଦ୍ର ଆଶ୍ରମ ପକ୍ଷରୁ ବାରଘରର ପୂର୍ବତନ ସମିତି ସଭ୍ୟ ତଥା ରାୟଗଡ଼ ବ୍ଲକ ଅଧ୍ୟକ୍ଷ ଧନେଶ୍ଵର ଭୂୟାଁ କିଛି କୁଚକ୍ରୀଙ୍କୁ ଧରି ଷଡ଼ଯନ୍ତ୍ର କରି ଶାନ୍ତ ପରିବେଶରେ ବନ ସୁରକ୍ଷା ନାମରେ ଅଶାନ୍ତ ସୃଷ୍ଟି କରି ମହେନ୍ଦ୍ର ଆଶ୍ରମକୁ ଭଙ୍ଗା ରୁଜା କରିଥିବା ନେଇ ଆଶ୍ରମ ପକ୍ଷରୁ ଅଭିଯୋଗ କରାଯାଇଛି । ଅନ୍ୟପଟେ କୋଟି କୋଟି ଟଙ୍କା ବିନିମୟରେ ମହେନ୍ଦ୍ରଗିରିରେ ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ଏକୋ ରିଶୋଟ ନିର୍ମାଣ କରାଯାଇଛି ସେଠାରେ ନିଜ ଗ୍ରାମର ସମସ୍ୟାକୁ ନେଇ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରିବା ସହ ସେହି ରିସୋର୍ଟରେ ବନ ବିଭାଗରେ କାର୍ଯ୍ୟରତ ବନ କର୍ମଚାରୀଙ୍କୁ ଦୁର୍ବ୍ୟବାହାର କରି ପାଣି ମୋଟର, ପାଇପ ଏବଂ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗା ରୂଜା କରାଯାଇଥିବା ନେଇ ବନ ବିଭାଗ ତରଫରୁ ବାରଘର ଗ୍ରାମବାସୀଙ୍କ ବିରୁଦ୍ଧରେ ଗାରବନ୍ଧ ଥାନାରେ ପୃଥକ ପୃଥକ ଭାବେ ଅଭିଯୋଗ କରାଯାଇଛି।

ତେବେ ଘଟଣାରେ ଗାରବନ୍ଧା ପୋଲିସ ଘଟଣାର ତଦନ୍ତ କରୁଛି ଯେହେତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି କୁ ଏଡାଇବା ପାଇଁ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଉନାହାନ୍ତି ତେବେ ଅଭିଯୋଗ କୁ ଭିତ୍ତିକରି ଘଟଣାର ସତ୍ୟତାକୁ ପୋଲିସ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା। ମହେନ୍ଦ୍ରଗିରି ପରି ଏକ ପବିତ୍ର ପୀଠ ସ୍ଥଳୀରେ ଅଶାନ୍ତ ପରିବେଶ ସୃଷ୍ଟି କରିବା ସହ ସାଧୁସନ୍ଥଙ୍କୁ ଏଭଳି ଆକ୍ରମଣ କରିଥିବା ବ୍ଯକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

 

Dharitri – Odisha’s No.1 Odia Daily

Share