ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା, ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ…

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଅନନ୍ତେଇ ଗ୍ରାମର ବିଦେଶୀ ଦାସ। ଥାନା ମାମଲା ନଂ.୩୯୨/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଗତ ଅକ୍ଟୋବର ୩୦ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମୀରା ସେଠୀ ନାମ୍ନୀ ଜଣେ ସଫେଇ କର୍ମଚାରୀ ଗ୍ରାମରେ ସଫେଇ କାମ କରୁଥିବା ବେଳେ ଅଭିଯୁକ୍ତ ବିଦେଶୀଙ୍କ ସ୍ତ୍ରୀ ଝୁମୁରୀ ଦାସଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଝୁମୁରୀଙ୍କ ସ୍ବାମୀ ବିଦେଶୀ ଉତ୍ତେଜିତ ହୋଇ ଘର ଭିତରୁ ଏକ ଲୁହା ଫୁଙ୍କନଳା ଆଣି ମୀରାଙ୍କ ମୁଣ୍ଡକୁ ମାଡ଼ ମାରିବା ସହ ଅସଦାଚରଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ମୀରାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ମୀରା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ଗିରଫ ଭୟରେ ଅଭିଯୁକ୍ତ ଘଟଣା ପରଠାରୁ ଫେରାର ହୋଇଯାଇଥିଲେ। ସେ ଶୁକ୍ରବାର ଘରକୁ ଆସିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ସୋଫିଆ ମିଶ୍ର ତାଙ୍କୁ ଗିରଫ କରିଥିଲେ।

Dharitri – Odisha’s No.1 Trusted Odia Daily

Share