ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ମହୁଲେ ଗ୍ରାମରେ ରହିଥିବା କାଳେଶ୍ୱର ରାଇସ୍ ମିଲ୍ର ପାଉଁଶ ଗଦାରେ ପଡ଼ି ବଇପୁର ଗ୍ରାମର ଜଣେ ନାବାଳକ ପ୍ରତ୍ୟୁଷ ଭଏନାଙ୍କ ମୃତ୍ୟୁ ଘଟଣା ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି) ପାଖରେ ପହଞ୍ଚିଛି। ଭବାନୀପାଟଣା ନାନଡ଼ୋଲର ଜଣେ ସାମାଜିକ କର୍ମୀ ଦିଲ୍ଲୀପ କୁମାର ଦାଶ ପ୍ରତ୍ୟୁଷଙ୍କ ମୃତ୍ୟୁ ଘଟଣା ନେଇ ଏନ୍ଏଚ୍ଆର୍ସିର ଦୃଷ୍ଟି ଆକର୍ଷଣ କରିବା ପରେ ସେ ନେଇ ଏକ ମାମଲା ପଞ୍ଜୀକୃତ କରି ଏନ୍ଏଚ୍ଆର୍ସି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ଗୁରୁବାର ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ବରଗଡ଼ ଜିଲାପାଳଙ୍କୁ ନୋଟିସ୍ କରି ରିପୋର୍ଟ ତଲବ କରିଛନ୍ତି। ୭ ଦିନ ମଧ୍ୟରେ ପ୍ରତ୍ୟୁଷ ଘଟଣା ନେଇ ସରକାର ତଥା ପ୍ରଶାସନ ପକ୍ଷରୁ ନିଆଯାଇଥିବା କାର୍ଯାନୁଷ୍ଠାନ ନେଇ ରିପୋର୍ଟ ଦାଖଲ କରିବାକୁ ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଛି। ଏହା ସହିତ ଆସନ୍ତା ୨୧ ତାରିଖ ଭୁବନେଶ୍ୱରରେ ଉକ୍ତ ମାମଲାର ଶୁଣାଣି ହେବ ଏବଂ ଏଥିରେ ଉପରୋକ୍ତ ଅଧିକାରୀ କିମ୍ବା ସେମାନଙ୍କ ପ୍ରତିନିଧି ଉପସ୍ଥିତ ରହିବାକୁ ଏନ୍ଏଚ୍ଆର୍ସିର ନିର୍ଦ୍ଦେଶ ରହିଛି।
ପ୍ରକାଶ ଥାଉକି, ଗତ ଫେବୃୟାରୀ ୨୬ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ୍ରେ ପ୍ରତ୍ୟୁଷ ନିକଟସ୍ଥ ଏକ ନଈ ଝାଇଁଜୋରକୁ ସାଇକେଲ ଯୋଗେ ଗାଧୋଇବାକୁ ଯାଉଥିବାବେଳେ ରାସ୍ତାକଡ଼େ ସ୍ତୁପ ଭଳି ଗଦା ହୋଇଥିବା ରାଇସ୍ ମିଲର ପାଉଁଶ ଗଦାରେ ପଡ଼ିଯାଇଥିଲେ। ତେବେ ସେହି ପାଉଁଶ ଗଦାରେ ନିଆଁ ଥିବା ଯୋଗୁ ସେ ଗୁରୁତର ହୋଇଥିଲେ।
ଖବର ପାଇବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭୀମସାର୍, ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ସେଠାରେ ୪୦ ଦିନ ଚିକିତ୍ସିତ ହେବା ପରେ ଗତ ଏପ୍ରିଲ ୮ ତାରିଖ ଉଚ୍ଚତର ଚିକିତ୍ସା ପାଇଁ କଟକ ଏସ୍ସିବି ଡାକ୍ତରଖାନାକୁ ପରିବାର ଲୋକେ ସ୍ଥାନାନ୍ତର କରିଥିଲେ। ଏପ୍ରିଲ ୯ ତାରିଖ ସକାଳ ୭ଟା ୩୦ ମିନିଟ୍ରେ ସେଠାରେ ସେ ଭର୍ତ୍ତି ହୋଇଥିଲେ। ପରଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତଦେହ ବ୍ୟବଚ୍ଛେଦ ହୋଇ ଗ୍ରାମକୁ ଫେରିବା ବାଟରେ କାଳେଶ୍ୱର ରାଇସ୍ ମିଲ୍ ସମ୍ମୁଖରେ ମୃତଦେହ ରଖି ଲୋକେ ଆନ୍ଦୋଳନ କରିଥିଲେ। ପରେ ଏ ନେଇ ଏତଲା ହେବା ପରେ ପୋଲିସ ମିଲ୍ ମାଲିକଙ୍କୁ ଗିରଫ କରିଥିଲା। ସେହିପରି ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ହୋଇଥିଲା।