Copyspace Jail Meaning Put In Prison And Take Into Custody
କଟକ,୨୦ା୨ (କାର୍ତ୍ତିକ ସାହୁ) କଟକ ଜିଲା ବୈଦେଶ୍ୱର ଥାନା ଅଞ୍ଚଳରେ ୨୦୧୯ ମସିହା ସେପ୍ଟେମ୍ବର ୧୬ ତାରିଖରେ ରୁଜୁ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ରାୟ ମଙ୍ଗଳବାର ପ୍ରକାଶ ପାଇଛି। କଟକସ୍ଥିତ ଆଡହକ୍ ଆଡିସିନାଲ୍ ସେସନ୍ ତଥା ଏଫ୍ଟିଏସ୍ସି କୋର୍ଟ -୨ ମାମଲାର ଅଭିଯୁକ୍ତ ବିଜୟ ସେଠୀ ଓରଫ ବିଜୁଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତ ୧ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଭିଯୁକ୍ତ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ପିଡ଼ିତାଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଜିଲା ଆଇନସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ବୈଦେଶ୍ୱର କଢ଼ାମାଳ ଅଞ୍ଚଳର ଜଣେ ୧୨ ବର୍ଷୀୟ ନାବାଳିକାଙ୍କୁ ଅଭିଯୁକ୍ତ ଜଣକ ବାରମ୍ବାର ବଳାତ୍କାର କରିଥିଲେ। ଫଳରେ ନାବାଳିକା ଜଣକ ୬ ମାସର ଗର୍ଭବତୀ ହୋଇଥିଲେ। ନାବାଳିକା ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ପିଡ଼ିତାଙ୍କ ପରିବାର ପକ୍ଷରୁ ବୈଦେଶ୍ୱର ଥାନାରେ ଏତଲା ରୁଜୁ ହୋଇଥିଲା। ପୋଲିସ୍ ଦୀର୍ଘ ଅଢ଼େଇ ବର୍ଷ ପରେ ଅଭିଯୁକ୍ତ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ଆଡହକ୍ ଆଡିସିନାଲ୍ ସେସନ୍ ତଥା ଏଫ୍ଟିଏସ୍ସି କୋର୍ଟ-୨ ମାମଲାର ବିଚାର ହୋଇ ଅଦାଲତ ରାୟ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ୍ଜୀବୀ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ମାମଲା ପରିଚାଳନା କରୁଥିଲେ।