ନାବାଳିକା ଅପହରଣକାରୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ ସହ…

କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ସାନସିଆଡ଼ିମାଳ ଗ୍ରାମର ଚିତ୍ତରଞ୍ଜନ ମହାନ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ତ ସହ ୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି। ଏଥିସହ ଚିତ୍ତରଞ୍ଜନଙ୍କ ବାପା ଗଙ୍ଗାଧର ମହାନ୍ତଙ୍କୁ ଅପହରଣ ପରେ ନାବାଳିକାଙ୍କୁ ଧମକ ଦେଇଥିବା ଅଭିଯୋଗରେ ୧ବର୍ଷ ଜେଲଦଣ୍ତାଦେଶ ସହ ୧ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୧ମାସ ଜେଲଦଣ୍ତାଦେଶ ଶୁଣାଇଛନ୍ତି।୨୦୧୬ରେ ନାବାଳିକା ପରୀକ୍ଷା ଦେବାକୁ ବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜାଣିବାକୁ ମିଳିଲା ଚିତ୍ତରଞ୍ଜନ ବାଇକ୍‌ରେ ଅପହରଣ କରି ଅନ୍ୟ ଏକ ଯୁବକଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ଗଙ୍ଗାଧର ମଧ୍ୟ ନାବାଳିକାଙ୍କୁ ବିବାହ ନ କରିବାକୁ ଧମକ ଦେଇଥିଲା। ଏନେଇ ନାବାଳିକାଙ୍କ ବାପା ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ନାବାଳିକାଙ୍କୁ ବ୍ରାହ୍ମଣୀପାଳ ନିକଟରୁ ଉଦ୍ଧାର କରି ବୟାନ ରେକର୍ଡ କରିବା ସହିତ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଥିଲା। ଆଜି ମାନ୍ୟବର ବିଚାରପତି ଫାଷ୍ଟ ଟ୍ରାକ୍‌ କୋର୍ଟ ବିଜୟ କୁମାର ମିଶ୍ର ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ୩୬୩/୩୬୬ ଆଇପିସି ଓ ଗଙ୍ଗାଧରଙ୍କୁ ୫୦୬ ଆଇପିସି ଦଫା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ତାଦେଶ ଶୁଣାଇବା ସହ ପୀଡ଼ିତାଙ୍କୁ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଜିଲା ଆଇନସେବା ପ୍ରାଧିକରଣ କେନ୍ଦୁଝରକୁ ସୁପାରିସ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

Share
Tags: jaillaw