ସମ୍ବଲପୁର/ଜମନକିରା,୨୧ା୬ (ପ୍ରମୋଦ ବହିଦାର/ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ମାଧଡିହୀ ଗ୍ରାମରେ ନାବାଳିକାଙ୍କୁ ଯୌନ ଅସଦାଚରଣ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ସମ୍ବଲପୁର ଅତିରିକ୍ତ ଜିଲା ଜଜ୍ ତଥା ପୋକ୍ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି ୧୫ଜଣ ସାକ୍ଷ୍ୟଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଅନୁଧ୍ୟାନ ପୂର୍ବକ ଏହି ମାମଲାର ବିଚାର କରି ଅଭିଯୁକ୍ତ ମାଧଡିହୀ ଗ୍ରାମର ପ୍ରଶାନ୍ତ ପ୍ରଧାନ ଓରଫ କେଏଁଟୁ(୨୨)ଙ୍କୁ ଦଫା ୪୫୨ ଓ ୮ ପୋକ୍ସୋ ଆଇନ୍ରେ ୪ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଦଫା ୩୨୩ରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା ତଥା ଜରିମାନା ଅର୍ଥ ଅନାଦେୟ ଅଭିଯୁକ୍ତଙ୍କୁ ୧ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରିପତି। ତେବେ ସମସ୍ତ ଦଣ୍ଡବିଧାନକୁ ଅଭିଯୁକ୍ତ ସମାନ୍ତରାଳ ଭାବେ ଏକ ସଙ୍ଗେ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମାଧଡିହୀ ଗ୍ରାମରେ ପରିବାର ସହିତ ରହୁଥିବା ପୀଡ଼ିତା ୧୫ ବର୍ଷ ବୟସ୍କା ନାବାଳିକା ଗତ ୨୦୨୩ ସେପ୍ଟେମ୍ବର ୧୭ ତାରିଖ ଅପରାହ୍ନରେ ନିକଟସ୍ଥ ଦୋକାନରୁ ଜିନିଷ କିଣି ଘରକୁ ଫେରୁଥିଲେ। ଏହି ସମୟରେ ସେହି ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ରାସ୍ତାରେ ନାବାଳିକାକୁ ଏକାକୀ ଦେଖି ପ୍ରଥମେ ତାଙ୍କୁ ଅସଦାଚରଣ କରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାବାଦ ତାଙ୍କୁ ଘରକୁ ନେଇ ଯୌନ ଅସଦାରଣ କରିଥିଲେ। ମାତ୍ର ଏହି ସମୟରେ ପୀଡ଼ିତାଙ୍କ ମାତା ଘରେ ପହଞ୍ଚତ୍ ଯିବାରୁ ତାଙ୍କୁ ଦେଖି ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ମାତାଙ୍କୁ ଦେଖି ପୀଡ଼ିତା ସମସ୍ତ କଥା କହିଥିଲେ। ଏପରିକି ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ତାଙ୍କୁ ଦୁଇଥର ଏଭଳି ଅସଦାଚରଣ କରିଥିଲେ ବୋଲି ପୀଡ଼ିତା ତାଙ୍କ ମାତାଙ୍କୁ କହିଥିଲେ। ଝିଅଠାରୁ ସମସ୍ତ ବିଷୟ ଶୁଣିଲା ପରେ ପୀଡ଼ିତାଙ୍କୁ ସାଙ୍ଗରେ ଧରି ତାଙ୍କ ମାତା ଜମନକେରା ଥାନାକୁ ଯାଇ ଏନେଇ ଏତଲା ଦେଇଥିଲେ। ତାଙ୍କ ଏତଲା ଓ ପୀଡ଼ିତାଙ୍କ ବୟାନ ଆଧାରରେ ଜମନକେରା ଥାନାରେ କେସ୍ ନମ୍ବର ୧୨୦/୨୩ରେ ଦଫା ୩୪୧, ୨୯୪, ୪୫୨, ୩୨୩, ୩୫୪, ୩୫୪(ଏ), ୩୫୪(ବି) ଏବଂ ୮ ପୋକ୍ସୋ ଆଇନ୍ର ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତବେଳେ ପୋଲିସ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ ଚାର୍ଜସିଟ୍ ଦାଖଲ ପରେ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ହେଲେ ଅଭିଯୁକ୍ତ ଜାମିନ୍ରେ ରହିଥିଲେ। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାରପତି ସେନାପତି ମାମଲାର ରାୟ ପ୍ରକାଶ କରି ଉକ୍ତ ଦଣ୍ଡବିଧାନ କରିଥିଲେ। ଏହାବାଦ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ସମ୍ବଲପୁର ମଣ୍ଡଳ ଜେଲ୍କୁ ପଠାଇ ଦିଆଯାଇଛି। ଅଦାଲତରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରାକରୀ ଓକିଲ ସନ୍ତୋଷ କୁମାର ପଣ୍ଡା ଏହି ମାମଲାକୁ ପରିଚାଳନା କରିଥିଲେ।