ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଏବଂ ଏହା ଅନାଦାୟ ଅଧିକ ୭ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବଉଳଝୋଲି ଗ୍ରାମର ସମୀର ପାତ୍ର।

ଜି.ଉଦୟଗିରି ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ବାପା ଜଣେ ବ୍ୟବସାୟୀ। ଅଭିଯୁକ୍ତ ସମୀର ତାଙ୍କ ପାଖରେ କାମ କରୁଥିଲେ। ୨୦୧୮ରେ ନାବାଳିକାଙ୍କ ବାପା ନିଖୋଜ ହୋଇ ଯାଇଥିଲେ। ଏହାପରେ ସମୀର ତାଙ୍କ ବ୍ୟବସାୟ ବୁଝୁଥିଲେ। ସେହିବର୍ଷ ମେ ୧୩ ତାରିଖରେ ମା’ ଭଞ୍ଜନଗର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ନାବାଳିକା ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ସମୀର ତାଙ୍କୁ ବାପାଙ୍କୁ ଖୋଜି ଯିବା କହି ଡାକି ନେଇଥିଲେ। ଯିବା ବେଳେ ଘରେ ଥିବା ୧୮ ହଜାର ଟଙ୍କା ଓ ଅଳଙ୍କାର ନେଇ ଯାଇଥିଲେ। ପରେ ନାବାଳିକାଙ୍କୁ ନେଇ ସମୀର ଫେରାର ହୋଇଯାଇଥିଲେ।

ନାବାଳିକାଙ୍କ ମା’ଘରକୁ ଫେରି ଝିଅକୁ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ୩ ଦିନ ପରେ ୧୬ ତାରିଖରେ ସେ ଜି.ଉଦୟଗିରି ଥାନାରେ ଏତଲା ଦେଇଥିଲେ। ପୋଲିସ ନଂ.୪୧/୧୮ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଘଟଣାର ପ୍ରାୟ ୨ ମାସ ପରେ ପୀଡ଼ିତାଙ୍କୁ ପୋଲିସ ଉଦ୍ଧାର କରି ସମୀରଙ୍କୁ ଗିରଫ କରିଥିଲା। ମାମଲାର ବିଚାର କରି ପୋକ୍‌ସୋ କୋର୍ଟ ବିଚାରପତି ରାଜେଶ ଦାଶ ୧୧ ଜଣ ସାକ୍ଷୀ ଓ ପୀଡ଼ିତାଙ୍କ ବୟାନ ସହିତ ଡାକ୍ତରୀ ରିପୋର୍ଟ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାକୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।

Share