ପଡିଆ,୨୪ା୪ (ଭାସ୍କର ରାଓ): ରଶି ଲଗାଇ ଜଣେ ନାବାଳିକା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଏମଭି ୭୯ ଥାନା ଶିମିଳି ବାଞ୍ଛା ପଞ୍ଚାୟତ ଅଞ୍ଚଳରେ। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୩/୨୫) ରୁଜୁ କରି ତଦନ୍ତ ଚଳାଇଛି।
ଏମଭି ୭୯ ଗ୍ରାମର ଅନୁପ ପାଲ(୨୪)ଙ୍କ ସହ ନାବାଳିକାଙ୍କର ପ୍ରେମ ସମ୍ପର୍କ ଥିଲା। ଦୁହେଁ ଘରୁ ଫେରାର ହୋଇଯାଇଥିଲେ। ଦୀର୍ଘ ମାସ ବାହାରେ ରହି ଗତ ୩ ମାସ ତଳେ ଗ୍ରାମକୁ ଆଣି ଯୁବକ ନିଜ ଘରେ ନାବାଳିକାଙ୍କୁ ରଖିଥିଲେ l ପରିବାର ଲୋକଙ୍କ ସହ ମିଶି ଅନୁପ ନାବାଳିକାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଏହା ସହି ନ ପାରି ନାବାଳିକା ଜଣକ ୧୫ ଦିନ ତଳେ ତାଙ୍କ ମା’ଙ୍କ ପାଖକୁ ଚାଲି ଆସିଥିଲେ।
ଗୁରୁବାର ଘରଠାରୁ ତିନିଶହ ମିଟର ଦୂର ଏକ ଗଛରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ନାବାଳିକା ଜଣଙ୍କ ଗର୍ଭବତୀ ଥିବା ସନ୍ଦେହ କରାଯାଇଛି ।
ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହାର ପ୍ରକୃତ କାରଣ ଜଣାଯିବ ବୋଲି ଥାନା ଏସ୍ଆଇ ଗିରି ଶଙ୍କର ସାରକା କହିଛନ୍ତି l ନାବାଳିକା ଜଣଙ୍କ ନିଜ ପୋଷାକ ଉପରେ ଯୁବକଙ୍କର ଏକ ଟି -ଶାର୍ଟ ପିନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।


