ଶିଶୁକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ନାବାଳକ

ରାୟଗଡ଼ା,୧୪ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନିକଟସ୍ଥ ଝୁଲା ପୋଲ ବୁଲିବାକୁ ଆସିଥିବା ଜଣେ ୧୭ ବର୍ଷୀୟ ନାବାଳକ ନାଗାବଳୀ ନଦୀରେ ବୁଡ଼ଯାଇଛନ୍ତି। ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟଓ୍ବାଡା ଜିଲା ସଦର ମହକୁମାର ପି ମୁରଲୀଙ୍କ ପୁଅ ପି. ସାଇ କ୍ରିଷ୍ଣା।
ଘଟଣାରୁ ପ୍ରକାଶ ଯେ, ସାଇ କ୍ରିଷ୍ଣା ତାଙ୍କ ପରିବାର ସହିତ ମଝିଘରିଆଣୀ ମନ୍ଦିରକୁ ଆସିଥିଲେ। ଦର୍ଶନ ପରେ ପରିବାରବର୍ଗଙ୍କ ସହିତ ଝୁଲା ପୋଲକୁ ବୁଲିବାକୁ ଯାଇଥିଲେ। ସେଠାରେ ପରିବାରବର୍ଗ ନାଗାବଳୀ ନଦୀରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କ୍ରିଷ୍ଣାଙ୍କ ମାମୁ ପୁଅ ନଦୀରେ ଭାସିଯାଇଥିବା ଦେଖି ତାକୁ ଉଦ୍ଧାର କରିଥିଲେ କ୍ରିଷ୍ଣା। ହେଲେ ନିଜର ଭାରସାମ୍ୟ ହରାଇ ନଦୀରେ ବୁଡି ଯାଇଥିଲେ। ଜରୁରୀକାଳିନ ସହାୟତା ନମ୍ବର ୧୧୨ରେ ଫୋନ୍‌ କଲ ଯିବା ପରେ ସୂଚନା ପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚିଥିଲେ। ଦମକଳ ବାହିନୀ କର୍ମଚାରୀ ନଦୀରେ ପଶି କ୍ରିଷ୍ଣାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।