Krushna Chandra Patra: ମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ପ୍ରତି ବ୍ଲକ୍‌ରେ ହେବ…

ଭୁବନେଶ୍ୱର,୧୭ା୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ଖୋଲାଯିବ। ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଖାଦ୍ୟଶସ୍ୟ ନଷ୍ଟ ହେବ ନାହିଁ। ଏଥିସହିତ ସଠିକ୍‌ ମୂଲ୍ୟ ମଧ୍ୟ ମିଳିବ।

ଚାଷୀଙ୍କ ଅତିରିକ୍ତ ଉତ୍ପାଦକୁ ଷ୍ଟୋର କରି ରଖିବା ପାଇଁ ପ୍ରତି ବ୍ଲକରେ ଶୀତଳଭଣ୍ଡାର ଖୋଲାଯିବ। ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ, ସେଠି ମଣ୍ଡି ବ୍ୟବସ୍ଥା ଆରମ୍ଭ ହେବ। କଟ୍‌ନି ଛଟ୍‌ନି ବନ୍ଦ କରିବାରେ ସରକାର ସଫଳ ହୋଇଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ସୋମବାର  ଓଡ଼ିଶା ବଜେଟ୍‌। ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବାବେଳେ ତାଙ୍କ ବଜେଟ ପେଡ଼ିରେ କ’ଣ ରହିଛି ତାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟର ଆକାର ପ୍ରାୟ ୩୦ ହଜାର କୋଟି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି। ଫଳରେ ବ୍ୟୟବରାଦ ୩ ଲକ୍ଷ କୋଟି ଟଙ୍କା ଛୁଇଁବା ସମ୍ଭାବନା ରହିଛି।

୨୦୨୫-୨୬ ଆର୍ଥିକବର୍ଷ ବଜେଟରେ ନିଯୁକ୍ତି ଓ ଉତ୍ପାଦନ ଉପରେ ମୋହନ ସରକାର ଗୁରୁତ୍ୱ ଦେଇପାରନ୍ତି। ଗାଁରେ ଆର୍ଥିକ ସ୍ରୋତ ସୃଷ୍ଟି କରିବାକୁ ସରକାର ନୂଆ ଯୋଜନା ଆଣିପାରନ୍ତି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଲୋକମତ, ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ ପରାମର୍ଶରେ ବଜେଟ ପ୍ରସ୍ତୁତ ହୋଇଛି। ଭାଜପାର ନିର୍ବାଚନୀ ସଂକଳ୍ପପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଇ ବଜେଟରେ ଅର୍ଥ ବ୍ୟୟବରାଦ ହୋଇଥିବା ଆଶା କରାଯାଉଛି। କୃଷକଙ୍କ ଆୟ ବୃଦ୍ଧି ଏବଂ ମହିଳା ସଶକ୍ତୀକରଣ ଉପରେ ମୋହନ ସରକାର ଗୁରୁତ୍ୱ ଦେଉଥିବାରୁ ଏଥିପାଇଁ ବଜେଟରେ ବିଶେଷ ଧ୍ୟାନ ଦିଆଯାଇଥାଇପାରେ ବୋଲି କୁହାଯାଉଛି।