କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମୁଖ୍ୟ ମଣ୍ଡପରେ ଆଦିବାସୀ ସଂସ୍କୃତି ଓ ଚାଲିଚଳଣିର ଝଲକ ଦେଖିବାକୁ ମିଳିବ। ଗୁରୁବାର କୋରାପୁଟ କେଚେଲା ରାସ୍ତାରେ ଥିବା ‘ପରବ’ର ନୂତନ ପଡ଼ିଆଠାରେ ପରବ ୨୦୨୫ ଉଦଘାଟନ ହେବାକୁ ଯାଉଛି। ରାଜ୍ୟ ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏଥିରେ କୋରାପୁଟ ଜିଲାପରିଷଦ ଅଧ୍ୟକ୍ଷା , କୋରାପୁଟ ଓ ନବରଙ୍ଗପୁର ଏମ୍ପିଙ୍କ ସମେତ ଜିଲାର ସମସ୍ତ ବିଧାୟକ, ଜିଲାପାଳ, ଏସପି ପ୍ରମୁଖ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ମହୋତ୍ସବରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହେବାକୁ ଥିବା ଦୃଷ୍ଟିରେ ରଖି ଜିଲା ପୋଲିସ ବିଭାଗ ପକ୍ଷରୁ ମୋଟ ୩୬ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଉଥିବା ଏସ୍ପି ରୋହିତ ବର୍ମା ପ୍ରକାଶ କରିଛନ୍ତି। ଏହି ମହୋତ୍ସବରେ ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳା, ହସ୍ତଶିଳ୍ପ ମେଳା, ସ୍ବଦେଶୀ ମେଳା, କୃଷି ମେଳା ଆଦି ବିଭିନ୍ନ ବିଭାଗର ମୋଟ ୫୪୩ଟି ଷ୍ଟଲ କରାଯାଇଛି। ଉଦ୍ଘାଟନୀ ଦିବସରେ କୋରାପୁଟ ଜିଲାର ଦୁରୁଆ ଓ ଢେମସା ନୃତ୍ୟ ସମେତ ଜିଲା ବାହରର ବିଭିନ୍ନ ଆଦିବାସୀ ନୃତ୍ୟ ସହ ବିଶିଷ୍ଟ ଗାୟକ ଉମାକାନ୍ତ ବାରିକ ଓ ତାଙ୍କ ଦଳ ଦ୍ୱାରା ସମ୍ବଲପୁରୀ ସଂଗୀତ ଓ ନୃତ୍ୟ ପରିବେଷଣ କରାଯିବାକୁ ଥିବାବେଳେ ଡ୍ରୋନ୍ ଶୋ’ ଏବଂ ସଂଗୀତ ଭିତ୍ତିକ ଆତସବାଜି ଶୋ’ ଉଦ୍ଘାଟନୀ ଦିବସର ମୁଖ୍ୟ ଆକର୍ଷଣ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।