ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ: ବିରୋଧୀଙ୍କୁ ଦେଲେ କଡ଼ା ଜବାବ

ଭୁବନେଶ୍ୱର,୧୬।୧୨: ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳୁନାହିଁ ଟୋକନ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖାଦେଇଛି। ଏଭଳିସ୍ଥତିରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଛନ୍ତି। ଚାଷୀ ଆନ୍ଦୋଳନ ପାଇଁ ମନ୍ତ୍ରୀ ବିରୋଧୀଙ୍କୁ ଦାୟୀ କରିଛନ୍ତି । ବିରୋଧୀ ତିଳକୁ ତାଳ କରୁଛନ୍ତି। ସେମିତି ଚାଷୀଙ୍କ ବଡ଼ ଆନ୍ଦୋଳନ କେଉଁଠି ହୋଇନାହିଁ।

ଜିଲାପାଳ ଏବଂ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ଟି ମଣ୍ଡି ଖୋଲିଛି। ବରଗଡ଼ ଜିଲାରେ ସର୍ୱାଧିକ ୬୪ ହାଜର ୬୫୨ ମେଟ୍ରିକ ଟନ୍‌ ଧାନ କିଣାଯାଇଥିବା ମନ୍ତ୍ରୀ ଗଣମାଧ୍ୟକୁ କହିଛନ୍ତି। ଏପରିକି ଟୋକନ ପହଞ୍ଚି ନ ଥିବା ସ୍ଥାନରେ ଟୋକନ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ସମ୍ୱଲପୁରରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ସକାଳ ୧୦ଟାରେ ଗୋଲବଜାର ଛକରେ ଏକତ୍ରୀତ ହୋଇ ଧାନବସ୍ତା ଧରି ପଦଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ସେମାନେ ଧାନକୁ ଖୁଚୁରାରେ ବିକ୍ରି କରି ପ୍ରତିବାଦ କରିଥିଲେ।