ଭୁବନେଶ୍ୱର,୨୨।୨: ମାଟ୍ରିକ୍ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇ ଯାଇଛି। ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ରକୁ ଯାଇ ସମୀକ୍ଷା କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ଖୁବ ଉତ୍ସାହର ସହ ଛାତ୍ରଛାତ୍ରୀ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ଓ କେଣସି ପ୍ରକାର ଅସୁବିଧା ନ ହେବାକୁ ସମସ୍ତ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ହୋଇଛି। କଡ଼ାକଡି ଯାଞ୍ଚ କରିବାକୁ କୁହାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଗଠିତ ୪ସ୍ତରୀୟ ସ୍କ୍ବାଡ ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରି ଯାଞ୍ଚ କରିଥିଲେ। ପରୀକ୍ଷା କେନ୍ଦ୍ରରେ ଯେମିତି କୌଣସି ଅନିୟମିତତା ନହେବ, ସେଥିପାଇଁ ଫ୍ଲାଇଙ୍ଗ ସ୍କ୍ବାଡ, ସେଣ୍ଟ୍ରାଲ ଅବଜରଭର୍ ଓ ଜିଲାସ୍ତରୀୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। କଣ୍ଟ୍ରୋଲ ରୁମ୍ରୁ ସ୍ଥିତି ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି।
ଅନ୍ୟପକ୍ଷେ ପ୍ରଥମ ଦିନର ପରୀକ୍ଷା ପୂର୍ବରୂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉଭୟ ଟୁଇଟ କରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଚାପମୁକ୍ତ ହୋଇ ସକରାତ୍ମକ ମନୋଭାବ ଏବଂ ଦୃଢ଼ ଆତ୍ମବିଶ୍ବାସର ସହ ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ ପରୀକ୍ଷାର୍ଥୀଙ୍କ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା ମଧ୍ୟ କରିଥିଲେ।