ଦାରିଙ୍ଗବାଡ଼ି, ୨୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିନା ନୋଟିସରେ ତାଲା ପକାଇ ବନ୍ଦ ରଖିବା ଓ ଛାତ୍ରୀଛାତ୍ର ବହୁ ସମୟ ବିଦ୍ୟାଳୟ ବାହାରେ ଅପେକ୍ଷା କରି ଭୋକ ଉପାସରେ ଘରକୁ ଫେରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏହା ପରେ ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ୱର ମାଝୀ ପଦକ୍ଷେପ ନେବା ଜଣାପଡିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ୫ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦ କରିଥିବା ସେ ସୂଚନା ଦେଇଛନ୍ତି।
ସୂଚନା ପ୍ରକାରେ, ଡକରବାଡ଼ି ସ୍କୁଲରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ମଧ୍ୟରେ ୬୫ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୫ ଜଣ ଶିକ୍ଷକ ଶିକ୍ଷାଦାନ ପାଇଁ ନିଯୁକ୍ତି ହୋଇଛନ୍ତି। ଗତ ଶନିବାର କୌଣସି ଶିକ୍ଷକ ସ୍କୁଲ ଆସି ନ ଥିବା ବେଳେ ପିଲାମାନେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇ ରହିଥିଲେ। ୫ ଜଣ ଶିକ୍ଷକ ନିଯୁକ୍ତି ହୋଇଥିଲେ ସୁଦ୍ଧା କୌଣସି ଗୋଟିଏ ଶିକ୍ଷକଙ୍କ ମଧ୍ୟ ଦେଖା ମିଳି ନ ଥିଲା। ଏମିତିକି ୫ ଜଣ ଶିକ୍ଷକ ସଠିକ ଭାବେ ସ୍କୁଲ ନ ଯାଇ ବିଦ୍ୟାଳୟକୁ ପାଳି କରି ଯାଉଥିବା ଅଭିଯୋଗ ହେଉଥିଲା। ଖବର ପାଇ ସିଆର୍ସିସି ଶିବ ଶଙ୍କର ସାହୁ ଉକ୍ତ ଦିନ ବିଦ୍ୟାଳୟ ଯିବା ସମୟରେ କୌଣସି ଜଣେ ମଧ୍ୟ ଶିକ୍ଷକ ଉପସ୍ଥିତ ନ ଥିବା ଜାଣି ସେ ବିଇଓଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ । ପୁଣି ମଙ୍ଗଳବାର ଉକ୍ତ ସ୍କୁଲର କିଛି ଶିକ୍ଷକ ୩ ଟା ବେଳେ ସ୍କୁଲରୁ ଆସୁଥିବା ଦେଖିବାକୁ ମିଳିଛି। କାରଣ ଦର୍ଶାଅ ନୋଟିସ ପରେ ବି କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ସତେ ଯେମିତି ବିଭାଗୀୟ ଅଧିକାରୀଙ୍କୁ କାହାରି ଭୟ ନାହିଁ। ଏଭଳି ଭାବରେ ଦାରିଙ୍ଗବାଡିିରେ ଶିକ୍ଷା ବ୍ୟବସ୍ଥା ଚାଲିଥିବା ଅଭିଯୋଗ ହୋଇଛି। ସେହିପରି ଦାରିଙ୍ଗବାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ସରସ୍ବତୀ ପୂଜା ଦିନ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇ ନ ଥିବାରୁ ଶତାଧିକ ଛାତ୍ରୀଛାତ୍ର ଭୋକ ଉପାସରେ ଫେରିଥିବା ବେଳେ ପୁଷ୍ଟିକର ଖାଦ୍ୟ ଅଣ୍ଡା ଖାଇବାରୁ ବଞ୍ଚିତ ହୋଇଥିଲେ। ଏନେଇ କନ୍ଧମାଳ ଜିଲା ଶିକ୍ଷା ଅଧିକାରୀ ରାଜେଶ ସ୍ବାଇଁ ପ୍ରତିକ୍ରିୟା ନେବାରେ କହିଛନ୍ତି ଯେ, ଡକରବାଡି ଘଟଣାର ତଦନ୍ତ ପାଇଁ ସେ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦତିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଆମେ ମଧ୍ୟାହ୍ନ ଭୋଜନ ପାଇଁ ଅନୁଦାନ ଦେଉଛୁ। ଯଦି ସେଠାରେ ରୋଷେଇ ହୋଇନାହିଁ ତେବେ ତାଙ୍କ ବିଭାଗ ତଥା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ତଦନ୍ତ ହେବ ବୋଲି ସେ କହିଛନ୍ତି।