ମେଶିନରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ: ତଦନ୍ତ ଆରମ୍ଭ କଲେ ଅଧିକାରୀ

ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଜେସିବି ଦ୍ୱାରା କାମ କରାଯାଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଟୁଇଟର ମାଧ୍ୟମରେ ଅଭିଯୋଗ ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ୱେବସାଇଟ୍‌ରୁ ଉକ୍ତ କାର୍ଯ୍ୟ ସମ୍ପର୍କିତ ତଥ୍ୟ ଡିଲିଟ୍‌ କରି ଦିଆଯାଇଛି। ଏ ନେଇ ଖବର ଶୁକ୍ରବାର ଧରିତ୍ରୀରେ ପ୍ରକାଶ ପାଇବା ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦାୟିତ୍ୱରେ ଥିବା ଅମ୍ବୁଡ଼ସ୍‌ମ୍ୟାନ ଲଳିତା ସାହୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସେ ଭଦ୍ରକ ସଦର ବ୍ଲକ ରାନ୍ଦିଆ ପଞ୍ଚାୟତ ବରପଦା ଗ୍ରାମ୍ୟ ପୋଖରୀ ଖନନ ସ୍ଥାନରେ ପହଞ୍ଚି କିଭଳି ଫଳକ ଲେଖାଯାଇଥିଲା ଓ ପରେ ସେଥିରୁ ଲେଖା ଲିଭାଇ ଦିଆଗଲା, ଜେସିବିରେ ପୋଖରୀ ଖୋଳାଗଲା ସେ ସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆର୍‌ଏସ୍‌ ଓ ଅଭିଯୋଗକାରୀଙ୍କୁ ଡାକି ପଚାରି ବୁଝିଥିଲେ। ଘଟଣାର ସତ୍ୟତା ଅନୁଭବ କରି ସେ ଏକ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି। ଭବିଷ୍ୟତରେ ଉକ୍ତ ପୋଖରୀର ବିଲ୍‌ ଯେଭଳି ନ ହେବ ସେଥିପ୍ରତି ଯତ୍ନବାନ ହେବାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି।