ଭୁବନେଶ୍ୱର,୯।୮: ‘ମେଟଲ ମିଟ୍’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଅପରାହ୍ନରେ ସିନିୟର ଗ୍ରୁପ୍ର କୁଇଜ୍ ରାଉଣ୍ଡ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ୍ ଆରମ୍ଭ ହୋଇଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ।
ଏହି ଅବସରରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର କାର୍ଯ୍ୟନିର୍ବାହୀ ଆତ୍ୟାଶା ସତପଥୀ କହିଛନ୍ତି, ପ୍ରତିବର୍ଷ ମେଟଲ ମିଟ୍ରେ ଅଧିକରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ୨୦୧୬ରେ ଯେତେବେଳେ ମେଟଲ ମିଟ୍ ଆରମ୍ଭ ହୋଇଥିଲା, ସେତେବେଳେ ଆମର ଆଶା ନ ଥିଲା ଏହା ଏତେ ଆଦୃତି ଲାଭ କରିବ। କିନ୍ତୁ ଏବେ ଏହି କୁଇଜ୍ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି।
ଏବେ ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁସବୁ ଶିକ୍ଷା ଅନୁଷ୍ଠାନର ପିଲାମାନେ ଆସିଛନ୍ତି, ଆମେ ଦେଖୁଛୁ ସେମାନେ ମେଟଲ ମିଟ୍କୁ ଆଖିରେ ରଖି ଭଲ ପ୍ରସ୍ତୁତି କରୁଛନ୍ତି। ପିଲାମାନଙ୍କ ମଧ୍ୟରେ କୁଇଜିଂର ସ୍ପିରିଟ୍ ବଢିଛି। ୨୦୨୫ରେ ଭଲ ଟିମ୍ ସବୁ ଅଛନ୍ତି। ଦେଖାଯାଉ ଗ୍ରାଣ୍ଡ ଫିନାଲେରେ କିଏ ବାଜି ମାରୁଛି।
ସିନିୟର ଗ୍ରୁପ୍ରେ ୪୪ଟି ଟିମ୍ ରହିଛନ୍ତି। ଜୁନିୟର ଗ୍ରୁପ୍ରେ ପୁରୀ, କଟକ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ ଅନୁଗୋଳ ଆଦି ଜିଲାର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗନେଇଥିବା ବେଳେ ସିନିୟର ଗ୍ରୁପ୍ରେ ଭୁବନେଶ୍ୱର, ରାୟଗଡ଼ା, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ଖଡଗପୁର, ରାୟପୁର, ଝାଡ଼ଖଣ୍ଡ ଆଦି ସ୍ଥାନର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଛନ୍ତି। ଏଥର ମଧ୍ୟ ‘ମେଟଲ ମିଟ୍’ରେ ଛାତ୍ରୀଛାତ୍ରଙ୍କୁ ଅଜୟ ପୁନିଆଙ୍କ ପ୍ରଶ୍ନ ପଚାରୁଛନ୍ତି।