ଭୁବନେଶ୍ୱର,୧୦ା୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ଆନୁକୂଲ୍ୟରେ ୨ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ୍ ମିଟ୍-୨୦୨୫’ର ରବିବାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଗ୍ରାଣ୍ଡ ଫାଇନାଲ ସିନିୟର ବର୍ଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ ହୋଇଥିବା ବେଳେ ଆଇଆଇଟି ଖଡ଼ଗପୁର ପ୍ରଥମ ରନର୍ସଅପ ହୋଇଛି। ଆଇଆଇଏମ୍ କୋଲ୍କାତା ଦ୍ୱିତୀୟ ରନର୍ସଅପ ଯୋଗ୍ୟତା ହାସଲ କରିଛି।
ସେହିପରି ଗ୍ରାଣ୍ଡ ଫାଇନାଲର ଜୁନିୟର ବର୍ଗରେ ଭୁବନେଶ୍ୱର ୟୁନିଟ-୮ର ଡିଏଭି ପବ୍ଲିକ ସ୍କୁଲ ଚାମ୍ପିୟନ ହୋଇଥିବା ବେଳେ କିଟ୍ ଇଣ୍ଟରନ୍ୟାଶନାଲ ସ୍କୁଲ ପ୍ରଥମ ରନର୍ସଅପ ହୋଇଛି। ସେହିପରି ଲୟୋଲା ସ୍କୁଲ ଦ୍ୱିତୀୟ ରନର୍ସଅପ ହାସଲ କରିଛି।
ଏହି ଅବସରରେ ଓଡ଼ିଶାପୋଷ୍ଟ ଏବଂ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ କୁଇଜ୍ ମାଷ୍ଟର ଅଜୟ ପୁନିଆଙ୍କ ଚମତ୍କାର ପ୍ରଶ୍ନ କରିବାର ଶୈଳୀକୁୁ ପ୍ରଶଂସା କରିଛନ୍ତି। ଏଥିସହ ଅଂଶଗ୍ରହଣକାରୀଙ୍କର ଉତ୍ତର ଦେବାର ବୁଦ୍ଧିମତା ପାଇଁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଆହୁରି କହିଛନ୍ତି, କେହି ହାରି ନ ଥାନ୍ତି; ସମସ୍ତେ ବିଜୟ ହାସଲ କରିବା ପଥରେ ଥାଆନ୍ତି।
ସେହିପରି ଓଡ଼ିଶା ପୋଷ୍ଟ ଏବଂ ଧରିତ୍ରୀର ସିଇଓ ଆଦ୍ୟାଶା ସତପଥୀ କହିଛନ୍ତି, ‘ମେଟଲ୍ ମିଟ୍ ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୁଇଜର ଆନନ୍ଦ ନେବା ଓ ଉତ୍ସାହ ଫେରାଇ ଆଣିବା। ବର୍ତ୍ତମାନ ଏହି ପ୍ଲାଟଫର୍ମ ହାଇ ଲେଭଲ କୁଇଜ ପାଇଁ ଏକ ଜଣାଶୁଣା ବ୍ରାଣ୍ଡ ପାଲଟିିଛି’।
କୁଇଜ୍ ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ମୋଟ ୮୧ଟି ଟିମ ଅଂଶଗ୍ରହଣ କରିଥିଲେ। ପ୍ରିଲିମ୍ସ ରାଉଣ୍ଡରେ ଜୁନିୟର ବର୍ଗରେ ୩୯ ଓ ସିନିୟର ବର୍ଗରେ ୪୨ ଟିମ ଭାଗ ନେଇଥିଲେ। ସେଥିମଧ୍ୟରୁ ଗ୍ରାଣ୍ଡ ଫାଇନାଲ୍ସ ପାଇଁ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ୍ ମନୋନୀତ ହୋଇଥିଲେ।