
ନୂଆଦିଲ୍ଲୀ,୧୫।୩: ହିମାଚଳର ଅନେକ ଜିଲାରେ ପାଗ ଖରାପ ହେବାକୁ ଯାଉଛି। ପାଣିପାଗ ବିଭାଗ ଆଗାମୀ ୨୪ଘଣ୍ଟା ପାଇଁ ହିମାଚଳ ପ୍ରଦେଶର କିଛି ଉଚ୍ଚ ଅଞ୍ଚଳରେ ହିମସ୍ଖଳନ ସତର୍କତା ଜାରି କରିଛି। ଏହା ସହିତ, ମଙ୍ଗଳବାର ବ୍ୟତୀତ ଗୁରୁବାର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।
ଚଣ୍ଡିଗଡ଼ସ୍ଥିତ ପ୍ରତିରକ୍ଷା ଜିଓଇନଫର୍ମେଟିକ୍ସ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ ଶନିବାର ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ବିଭାଗ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଚମ୍ବା, କୁଲୁ, କିନ୍ନୌର ଏବଂ ଲାହୌଲ ଏବଂ ସ୍ପିତି ଜିଲାର ଉଚ୍ଚ ଅଞ୍ଚଳରେ ହିମସ୍ଖଳନ ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଲୋକଙ୍କୁ ତୁଷାରପାତରୁ ଦୂରେଇ ରହିବା ଏବଂ ଘରେ ରହିବାକୁ ପରାମର୍ଶ ଦେଇଛି। ଉଲ୍ଲେଖନୀୟ ଯେ ଶୁକ୍ରବାର ସାରୁ ରାଜ୍ୟର ଅନେକ ସ୍ଥାନରେ ହାଲୁକା ତୁଷାରପାତ ହୋଇଛି। ଗୋଣ୍ଡଲାରେ ୮ ସେମି, କୁକୁମସେରିରେ ୪.୨ସେମି ଏବଂ କଳ୍ପାରେ ୨ ସେମି ତୁଷାରପାତ ହୋଇଛି।
ସେହିପରି, ଫେବୃଆରୀ ୨୬ ତାରିଖରୁ ହୋଇଥିବା ତୁଷାରପାତ ଚମ୍ବା ଜିଲାର ପାଙ୍ଗୀ ଉପତ୍ୟକାର ଆଦିବାସୀଙ୍କ ଜୀବନକୁ କଷ୍ଟକର କରିଦେଇଛି। ରାସ୍ତା ବନ୍ଦ ଥିବାରୁ, ଗାଁ ଲୋକେ ରୋଗୀମାନଙ୍କୁ ଖଟିଆରେ ବୋହି ଡାକ୍ତରଖାନାକୁ ନେବାକୁ ବାଧ୍ୟ ହେଉଛନ୍ତି।