ଭୁବନେଶ୍ୱର,୯।୫: ଦୈନିକ ଇଂରାଜୀ ଖବର କାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜ ମହାକୁମ୍ଭ ‘ମେଟଲ ମିଟ ୨୦୨୫’ର ସପ୍ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ଏହି ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାର ଆଜି ପ୍ରିଲିମ୍ ରାଉଣ୍ଡ ଚାଲିଛି। ସକାଳ ସାଢ଼େ ୮ ଟାରୁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦିନ ୧୦ ଟା ବେଳେ ଆରମ୍ଭ ହୋଇଛି ଜୁନିୟର ରାଉଣ୍ଡ। ଏହି ଅବସରରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଏହି କୁଇଜ୍ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ। ଏହି କୁଇଜ୍ କାର୍ଯ୍ୟକ୍ରମ ପ୍ରତି ଛାତ୍ରୀଛାତ୍ର ଉତ୍କଣ୍ଠା ବଢିଚାଲିଥିବା ସେ କହିଥିଲେ।
ଆଜି ପ୍ରିଲିମ ରାଉଣ୍ଡ ଥିବାବେଳେ ରବିବାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ । କୁଇଜ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ବୃଦ୍ଧି କରିବା ସହିତ ରାଜ୍ୟରେ କୁଇଜକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ତା’ର ଲକ୍ଷ୍ୟ ହାସଲ କରିପାରିଛି । ତେବେ ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ମୋଟ ୮୪ଟି ଶିକ୍ଷାନୁଷ୍ଟାନର ଛାତ୍ରୀ ଛାତ୍ର ଯୋଗ ଦେଇଛନ୍ତି । ଜୁନିୟର ଗୃପରେ ୩୯ଟି ଟିମ ଯୋଗ ଦେଉଥିବା ବେଳେ ସିନିୟର ରାଉଣ୍ଡରେ ୪୫ଟି ଟିମ ସାମିଲ ହୋଇଛନ୍ତି ।
ଉଚ୍ଚ ମାନର କ୍ୱିଜିଙ୍ଗ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ବଢ଼ୁଥିବା ବେଳେ ପ୍ରତିବର୍ଷ ‘ମେଟଲ ମିଟ’ ନିଜର ନୂତନ ର୍କିତ୍ତିମାନ ସ୍ଥାପନ କରି ଚାଲିଛି । ଜୁନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ଅନୁଗୋଳ, ସମ୍ବଲପୁର ଓ ଢେଙ୍କାନାଳର ଆଦି ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିବା ବେଳେ ସିନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, ରାୟଗଡ଼ା, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ଖଡ଼ଗପୁର, ରାୟପୁର, ଝାଡ଼ଖଣ୍ଡ ଆଦି ସ୍ଥାନର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଉଛନ୍ତି। ଏଥର ମଧ୍ୟ ‘ମେଟଲ ମିଟ’ରେ କୁଇଜ ମାଷ୍ଟର ଅଜୟ ପୁନିଆ ରହିଛନ୍ତି । ଆଜିର ଏହି ମେଟଲ ମିଟ ପ୍ରତିଯୋଗିତାରେ କୁଇଜ ମାଷ୍ଟର ଅଜୟ ପୁନିଆଙ୍କ ପ୍ରଶ୍ନର ସାମ୍ନା କରିବେ ଛାତ୍ରୀଛାତ୍ର ।


