ଭୁବନେଶ୍ୱର,୯।୮: ‘ମେଟଲ ମିଟ’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ ଆରମ୍ଭ ହୋଇସାରିଛି। ତେବେ ପ୍ରିଲିମ୍ର ଜୁନିୟର ଗ୍ରୁପର ବିଜେତାଙ୍କ ନାମ ଘୋଷଣା ହୋଇଛି। ଯେଉଁମାନେ ଆସନ୍ତାକାଲି ଗ୍ରାଣ୍ଡ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି।
ସେହି ସ୍କୁଲଗୁଡିକ ହେଲା ସାଇ ଇଣ୍ଟରନାଶନାଲ ସ୍କୁଲ, କିଟ୍ ଇଣ୍ଟରନାଶନାଲ ସ୍କୁଲ, ଡିଏଭି ପବ୍ଲିକ ସ୍କୁଲ(କଳିଙ୍ଗ ନଗର ଭୁବନେଶ୍ୱର) ଏସଟି ପଲ୍ସ ସ୍କୁଲ ରାଉରକେଲା, ଡିଏଭି ପବ୍ଲିକ ସ୍କୁଲ ସିଡିଏ କଟକ, ଭୁବନେଶ୍ୱର ମଡେଲ ପବ୍ଲିକ ସ୍କୁଲ ଭୁବନେଶ୍ୱର, ଲୋୟଲା ସ୍କୁଲ ଭୁବନେଶ୍ୱର, ଡିଏଭି ପବ୍ଲିକ ସ୍କୁଲ(ୟୁନିଟ ୮ ଭୁବନେଶ୍ୱର)।
ଏହି ଅବସରରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର କାର୍ଯ୍ୟନିର୍ବାହୀ ଆତ୍ୟାଶା ସତପଥୀ କହିଛନ୍ତି, ପ୍ରତିବର୍ଷ ମେଟଲ ମିଟରେ ଅଧିକରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ୨୦୧୬ରେ ଯେେତେବେଳ ମେଟଲ ମିଟ ଆରମ୍ଭ ହୋଇଥିଲା, ସେତେବେଳେ ଆମର ଆଶା ନ ଥିଲା ଏହା ଏତେ ଆଦର ଲାଭ କରିବ। କିନ୍ତୁ ଏବେ ଏହି କୁଇଜ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି। ଏବେ ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁସବୁ ଶିକ୍ଷା ଅନୁଷ୍ଠାନର ପିଲାମାନେ ଆସିଛନ୍ତି, ଆମେ ଦେଖୁଛୁ ସେମାନେ ମେଟଲ ମିଟର ଆଖିରେ ରଖି ଭଲ ପ୍ରସ୍ତୁତି କରୁଛନ୍ତି। ପିଲାମାନଙ୍କ ମଧ୍ୟରେ କୁଇଜିଂର ସ୍ପିରିଟ ବଢିଛି। ୨୦୨୫ରେ ଭଲ ଟିମ ସବୁ ଅଛନ୍ତି। ଦେଖାଯାଉ ଗ୍ରାଣ୍ଡ ଫିନାଲେରେ କିଏ ବାଜି ମାରୁଛି।
କୁଇଜିଂକୁ ପୁନର୍ଜୀବିତ କରିବା ପାଇଁ ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ତା’ର ଲକ୍ଷ୍ୟ ହାସଲ କରିପାରିଛି। ଚଳିତବର୍ଷ ସାରା ରାଜ୍ୟରୁ ୮୩ଟି ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରୁଛନ୍ତି। ଜୁନିୟର ଗ୍ରୁପ୍ରେ ୩୯ଟି ଟିମ ଥିବାବେଳେ ସିନିୟର ଗ୍ରୁପ୍ରେ ୪୪ଟି ଟିମ ରହିଛନ୍ତି। ଜୁନିୟର ଗ୍ରୁପ୍ରେ ପୁରୀ, କଟକ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ ଅନୁଗୋଳ ଆଦି ଜିଲାର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗନେଉଥିବା ବେଳେ ସିନିୟର ଗ୍ରୁପ୍ରେ ଭୁବନେଶ୍ୱର, ରାୟଗଡ଼ା, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ଖଡଗପୁର, ରାୟପୁର, ଝାଡ଼ଖଣ୍ଡ ଆଦି ସ୍ଥାନର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଛନ୍ତି। ଏଥର ‘ମେଟଲ ମିଟ’ରେ ଛାତ୍ରୀଛାତ୍ରଙ୍କୁ ଅଜୟ ପୁନିଆଙ୍କ ପ୍ରଶ୍ନବାଣର ସାମ୍ନା କରିବାକୁ ପଡ଼ିବ।