ସମ୍ବଲପୁର,୮।୩(ଭବାନୀ ଶଙ୍କର ଭୋଇ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଦ୍ୱିତୀୟ କିସ୍ତି ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଅଡିଟୋରିୟମରେ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ରାଜ୍ୟ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ମାନିତ ଅତିଥିଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର ଏବଂ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ ପ୍ରମୁଖ ଯୋଗ ଦେଇଥିଲେ। ହେଲେ ଏହି ବୈଠକରେ ଜୟନାରାୟଣ ନିଜ ଭାଷଣରେ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ପାତରଅନ୍ତର କରୁଥିବା ଏବଂ ଏଠାକାର ଭାଷା ସଂସ୍କୃତିକୁ ଦବେଇ ଦେବାର ଷଡଯନ୍ତ୍ର କରୁଥିବା ନେଇ ଗମ୍ଭୀର ଅଭିଯୋଗ କରିବା ସମସ୍ତଙ୍କୁ ଚକିତ କରିଥିଲା ।
ସେ ନିଜ ଭାଷଣରେ କହିଥିଲେ, ସମ୍ବଲପୁରର ଲୋକମାନଙ୍କୁ ଜାଣି ରଖିବା କଥା ଉତ୍କଳ କହିଲେ କଟକ, ପୁରୀ, ବଲେଶ୍ୱର । ଉତ୍କଳ, କଳିଙ୍ଗ, କୋଶଳ ମିଶି ଓଡ଼ିଶା ଗଠନ ହୋଇଛି। କେବଳ ଉତ୍କଳର ଜୟଗାନ ଗାଇବ, ବାକି କୋଶଳ ଏବଂ କଳିଙ୍ଗର ସମ୍ମାନ କିଛି ନାହିଁ। ଆମର ଅର୍ଥ, ଜଙ୍ଗଲ, ପାଣି, ଚାଷା, ଚାକିରି ସବୁଥିରେ ଶୋଷଣ କଲ। ତା’ ସହିତ ଆଜି ତୁମେ ସାଂସ୍କୃତିକ ଭାବେ ମଧ୍ୟ ଆମକୁ ଶୋଷଣ କରିବାକୁ ଚାହୁଁଛ ବୋଲି କହିଥିଲେ। ପୂର୍ବରୁ ମଧ୍ୟ ସେ ବିରୋଧୀ ଦଳରେ ଥିବା ସମୟରେ ଓଡ଼ିଶା ସରକାରଙ୍କ ପଶ୍ଚିମ ଓଡ଼ିଶା ପ୍ରତି ପାତରଅନ୍ତର କରୁଥିବା କଥା କହି ଆସୁଥିଲେ । ହେଲେ ଏବେ ତାଙ୍କ ଦଳ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାରରେ ଅଛି। ଏଭଳି ସ୍ଥିତିରେ ତାଙ୍କର ଇଙ୍ଗିତ କାହାକୁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନାକୁ ନେଇ ଲୋକେ ଚାହିଁ ବସିଥିବା ବେଳେ ସେହି ସରକାରୀ କାର୍ଯ୍ୟକ୍ରମରେ ଜୟନାରାୟଣ କାହିଁକି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୋଲି ସମସ୍ତଙ୍କ ପ୍ରଶ୍ନ ।


