ଭୁବନେଶ୍ୱର,୧୫ା୯ (ରବିନାରାୟଣ ଜେନା): ଦ୍ରବ୍ୟ ଓ ସେବାକର(ଜିଏସ୍ଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜିଏସ୍ଟି ପରିଷଦ ବୈଠକରେ ଯେଉଁ ସଂଶୋଧନ ହୋଇଛି ତାହାକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହିତ ସଂଶୋଧିତ ନୂତନ ମୂଲ୍ୟ (ଏମ୍ଆର୍ପି) ତୁରନ୍ତ ଉଲ୍ଲେଖ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ରବିବାର ମନ୍ତ୍ରୀ ପାତ୍ର ସମସ୍ତ ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ସଂଶୋଧିତ ଜିଏସ୍ଟି ହ୍ରାସକୁ ସାମଗ୍ରୀ ପ୍ୟାକ୍ରେ ପ୍ରତିଫଳିତ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ସାମଗ୍ରୀରେ ନୂଆ ଏମ୍ଆର୍ପି ପ୍ରଦର୍ଶନ କରିବାକୁ ହେବ। ସମସ୍ତ ମୂଲ୍ୟ ସ୍ଲାବ୍ରେ ଜିଏସ୍ଟିି ହ୍ରାସ ହୋଇଛି, ଅନେକ ସାମଗ୍ରୀରେ ସମ୍ପୂର୍ଣ୍ଣ ଛାଡ଼ ହୋଇଛି। ଏହା ପ୍ରଧାନମନ୍ତ୍ରୀଙ୍କର ଏକ ଐତିହାସିକ ନିଷ୍ପତ୍ତି, ଯାହା ସାଧାରଣ ଲୋକଙ୍କର ଆର୍ଥିକ ବୋଝ କମାଇବାରେ ସହାୟକ ହୋଇପାରିବ। ମନ୍ତ୍ରୀ ପାତ୍ର କହିଛନ୍ତି, ଆମ ବିଭାଗ ଏହାକୁ ପୂର୍ଣ୍ଣ ସମର୍ଥନ ଦେଉଛି, ଲାଭଗୁଡ଼ିକ ଗ୍ରାହକଙ୍କ ପାଖ଼େ ତୁରନ୍ତ ପହଞ୍ଚିବା ଉଚିତ।
୨୦୨୫ର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପ୍ୟାକ୍ ହୋଇଥିବା ଆବଶ୍ୟକ ସାମଗ୍ରୀ ପୁରୁଣା ଲେବୁଲ୍ ରଖିପାରିବ, କିନ୍ତୁ ନୂଆ ଦର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ ଏବଂ ବର୍ଷ ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।