Large Aluminum Steel Rolls in the factory. Image taken in daylight with a Sony A7Rii (42 megapixels) and developed from raw..
ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ନିଶ୍ଚିତ ହେବା ପରେ ଏବେ ଢେଙ୍କାନାଳ ଜିଲାରେ ଆଉ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୩ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ବୈଠକରେ ମୋଟ ୫୫,୭୮୩ କୋଟି ଟଙ୍କାର ୭ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ପ୍ରାୟ ୧୪,୫୦୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଢେଙ୍କାନାଳ ଜିଲାରେ ୩୫,୦୦୦ କୋଟି ଟଙ୍କା ବ୍ୟୟରେ ଏକ ୬ MTPA ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ JSW ଗ୍ରୁପ୍ର ସହାୟକ କମ୍ପାନୀ ସାଫ୍ରନ୍ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍। ଏହି ଗୋଟିଏ ପ୍ରକଳ୍ପ ଦ୍ୱାରା ପ୍ରାୟ ୮,୦୦୦ ଲୋକଙ୍କୁ ନିଯୁକ୍ତି ମିଳିବାର ଆଶା କରାଯାଉଛି। ଏହା ବ୍ୟତୀତ ଇନୋକ୍ସ ଏୟାର୍ ପ୍ରଡକ୍ଟସ୍ ଏବଂ ଜିଏମଆର୍ କମଳାଙ୍ଗା ଏନର୍ଜି ମଧ୍ୟ ଏହି ଜିଲାରେ ପୃଥକ ପ୍ରକଳ୍ପ ନିର୍ମାଣ କରିବେ।
ଢେଙ୍କାନାଳ ବ୍ୟତୀତ ଗଞ୍ଜାମ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବୃହତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଛି। ଜିନ୍ଦଲ ପଲି ଫିଲ୍ମସ ଲିମିଟେଡ୍ ଦ୍ୱାରା ୧୨,୦୦୦ କୋଟି ଟଙ୍କାରେ ଏକ ଟାଇଟାନିୟମ୍ ଡାଇଅକ୍ସାଇଡ୍ ପିଗମେଣ୍ଟ ୟୁନିଟ୍ ପ୍ରତିଷ୍ଠା ହେବ। ଏହାସହ ଅଟୋ-କମ୍ପୋନେଣ୍ଟ କ୍ଷେତ୍ରରେ ମଧ୍ୟ ନିବେଶ ହେବ। ସାନକୋଡ୍ ସେମି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟିଂ (OSAT) ୟୁନିଟ୍ ସ୍ଥାପନ କରାଯିବ।
ଫେରୋ ଆଲଏଜ୍ କର୍ପୋରେସନ୍ ଲିମିଟେଡ୍ ୨,୦୦୦ କୋଟି ଟଙ୍କା ନିବେଶରେ ଫେରୋ ଆଲଏଜ୍ ସୁବିଧା ଓ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ନିର୍ମାଣ କରିବ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶିଳ୍ପ ବିକାଶ ଓ ନିଯୁକ୍ତି ବୃଦ୍ଧି ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଏକ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।