ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ପରିସରରେ ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶିଶିର କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ କାରଣରୁ ଗତ ୨୦୧୯ଠାରୁ ଦୀର୍ଘ ୭ ବର୍ଷ ହେଲା ହାଇସ୍କୁଲ ପରିଚାଳନା କମିଟି ଗଠନ ହୋଇପାରିନଥିଲା। ଗଞ୍ଜାମ ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବମୋକେଇ ଗ୍ରାମସ୍ଥିତ ଚିଦାନନ୍ଦ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅରୁଣ ଚନ୍ଦ୍ର ଦାସ ସଭାରେ ପର୍ଯ୍ୟବେକ୍ଷକ ରୂପେ ଉପସ୍ଥିତ ଥିଲେ। ପରିଚାଳନା କମିଟି ଗଠନ ନିମନ୍ତେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ସଭାରେ ପାଠ କରାଯାଇଥିଲା। ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସମେତ ସରପଞ୍ଚ ବି.ଲିଙ୍ଗରାଜ ଦୋରା,ସମିତି ସଭ୍ୟ ଗଣେଶ ମଲ୍ଲିକ,ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ପୂର୍ବତନ ସରପଞ୍ଚ କେ.ସଞ୍ଜୀବ କୁମାର ରେଡ୍ଡୀ, ଶିବପ୍ରସାଦ ପ୍ରଧାନ, ଏଫ.ରାଜୀବ ଲୋଚନ ରେଡ୍ଡୀ, ରବୀନ୍ଦ୍ର ପାତ୍ର, ପୂର୍ଣ୍ଣ ରେଡ୍ଡୀ,ବି.ଝିଲି ଦୋରା, ବୁଡୁ ସେଠୀଙ୍କୁ ନୂତନ ପରିଚାଳନା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ସୋମବାର ରାଜ୍ୟ ସଭା ନିର୍ବାଚନ ଥିବାରୁ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ସଭାରେ ଅନୁପସ୍ଥିତ କାରଣରୁ ପରବର୍ତ୍ତୀ ବୈଠକରେ କମିଟି କାର୍ଯ୍ୟକର୍ତ୍ତା ଚୟନ ନିମନ୍ତେ ସଭାରେ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇନଥିଲା। ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ବହୁ ସଂଖ୍ୟକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀବୃନ୍ଦ ସଭାରେ ଉପସ୍ଥିତ ଥିଲେ।

